ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଜାମୁଯୋଡି ଗ୍ରାମ ଠାରୁ ଜୁଆଙ୍ଗ ସାହିକୁ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଓଡିଶା ଖଣିଜ ବିୟରିଂ ଏରିଆ ଡେଭଲପମେଣ୍ଟ କରପୋରେସେନ) ଦ୍ୱାରା ୭୬.୨୨ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଫଳରେ ଠିକାଦାର ଓ ଅଧିକାରୀ ମାଲେମାଲ ହୋଇଛନ୍ତି । ନୂତନ ରାସ୍ତା ନିର୍ମାଣରେ ତଳେ ମେଣ୍ଟାଲ କମ୍ ଦେଇ ଉପରେ ମୋରମ ବିଛା ଯାଇଛି । ଏଥିସହ ରାସ୍ତାର ମୋରମ ଓଦା ଓ ତଳେ ପାଣି ଥିବା ବେଳେ ତା ଉପରେ ପିଚୁ ବିଛା ଯାଇଛି । ମୋରମ ଓଦା ଓ ପାଣି ଥିବା ହେତୁ ପିଚୁ ପକାଇବା ପାଇଁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଜୋର୍ ଜବରଦସ୍ତ ପିଚୁ ବିଛା ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମର ଲୋକମାନେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରା ହୋଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଥିଲା । ରାସ୍ତା କାର୍ଯ୍ୟ ଶେଷର ୧୫ ଦିନ ପରେ ବର୍ଷାରେ ପିଚୁ ତଳର ମରମ ଓଦା ହେବା ପରେ ମୋଟରସାଇକେଲ ଓ ପାଦରେ ମାଡ଼ିଦେଲେ ବିଭିନ୍ନ ସ୍ଥାନ ପତପତ୍ କରୁଥିବା ସହ ରାସ୍ତାର ଅନେକ ସ୍ଥାନରେ ଦବିଯାଇ ପିଚୁ ଉଠିଯାଉଛି । ମାସେ ନପୁରୁଣୁ ରାସ୍ତାର ଅବସ୍ଥା ଏମିତି ହେବାକୁ ନେଇ ଏହାର ସ୍ଥାୟିତ୍ବକୁ ନେଇ ସାଧାରଣରେ ଉଠୁଛି ପ୍ରଶ୍ନ । ରାସ୍ତା କାର୍ଯ୍ୟର ସମସ୍ତ ବିବରଣୀ ସୂଚନା ଫଳକରେ ଲିପିବଦ୍ଧ କରାଯିବାର ଥିବା ବେଳେ ସେଥିରେ କେବଳ କାର୍ଯ୍ୟର ନାମ ଓ ଅନୁଦାନ ସମ୍ପର୍କରେ ସୂଚନା ଦିଆଯାଇଛି । ଯାହାକୁ ନେଇ କାର୍ଯ୍ୟର ଠିକାଦାର ଓ କାର୍ଯ୍ୟ ସମ୍ପର୍କରେ ସମସ୍ତ ସୂଚନା ଜନସାଧାରଣରେ ଅଛପା ରହିଥିବା ଅଭିଯୋଗ ହୋଇଛି ।
ସ୍ବାଧୀନତାର ୭୩ ବର୍ଷ ହେଲା ଏହି ଅଞ୍ଚଳର ଲୋକମାନେ ମାଟି କାଦୁଅ ରାସ୍ତାରେ ଯାତାୟାତ କରି ଆସୁଥିଲେ । ହେଲେ ଗ୍ରାମକୁ ନୂତନ ଭାବେ ପିଚୁ ରାସ୍ତା ନିର୍ମାଣ ହେଉଥିବାକୁ ନେଇ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କିନ୍ତୁ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନେଇ ଆଗାମୀ ଦିନକୁ ଆଖି ଆଗରେ ରଖି ପୂର୍ବ ରାସ୍ତା ଭଲ ଥିଲା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।