ଭୁବନେଶ୍ୱର – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଅକ୍ଟୋବର ୨ ତାରିଖ ବୁଧବାର ଦିନ ଭୁବନେଶ୍ୱର ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ଉଦ୍ଦେଶ୍ୟରେ ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ । ଇତିମଧ୍ୟରେ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ୬ଟି ପୂର୍ଣ୍ଣାବୟବ ତୈଳଚିତ୍ର ରବୀନ୍ଦ୍ର ମଣ୍ଡପ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, ନେତାଜୀ ସୁଭାଷଚନ୍ଦ୍ର ବୋଷ ସଂଗ୍ରହାଳୟ ଓ ସ୍ୱରାଜ ଆଶ୍ରମରେ ସ୍ଥାପନ କରାଯାଉଛି ।
ଗାନ୍ଧୀ ଜୟନ୍ତୀ ଦିନ ଭୋର ସାଢ଼େ ୪ଟା ସମୟରେ ସହଜର ସାରା ରାମଧୂନ୍ ପ୍ରଚାର କରାଯିବ । ସକାଳ ୭ଟାରୁ ୮ଟା ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୫ ହଜାରରୁ ଉଦ୍ଧ୍ୱର୍ ବିଦ୍ୟାର୍ଥୀ ଆଚାର୍ଯ୍ୟ ବିହାରଠାରୁ କ୍ୟାପିଟାଲ ହସପିଟାଲ ପର୍ଯ୍ୟନ୍ତ ସୁଦୀର୍ଘ ବିଶାଳ ଏକ ମାନବ ଶୃଙ୍ଖଳ ରଚନାରେ ସାମିଲ ହେବେ । ପ୍ରାୟ ୪୦୦ ସଂକୀର୍ତନ କଳାକାର ଦୁଇଭାଗରେ ବିଭକ୍ତ ହୋଇ ପଦଯାତ୍ରାରେ ରଘୁପତି ରାଘବ ରାଜାରାମ(ରାମଧୂନ) ଭଜନ ପରିବେଷଣ ପୂର୍ବକ ପଦଯାତ୍ରାରେ ଯିବେ । ସକାଳ ୯ଟାବେଳେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ଲଳିତ ଏକାଡେମୀ ପକ୍ଷରୁ ଶିଳ୍ପୀ ଶିବିର ଆୟୋଜନ କରାଯିବ ।
ସକାଳ ୧୦ଟା ୧୦ ମିନିଟ୍ରେ ରାଜ୍ୟ ବିଧାନସଭା ପରିସର ମଧ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୂଷ୍ପାର୍ଘ୍ୟ ପ୍ରଦାନ ସାଙ୍ଗକୁ ଆଶ୍ରମ ଭଜନ ଆବୃତି, ରାମଧୂନ ଓ ଗାନ୍ଧୀ ଜୟନ୍ତୀ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ସହ ଜନପ୍ରତିନିଧିମାନେ ଯୋଗଦେବେ ।\nପୂର୍ବାହ୍ନ ୧୧ଟାବେଳେ ଜୟଦେବ ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ ଓ ଗାନ୍ଧୀକଥା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୂଚନା ଓ ଲୋକସମ୍ପର୍କ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଏବଂ ବିଶିଷ୍ଟ ଗାନ୍ଧୀବାଦୀ ବିଦ୍ୱାନ ଶ୍ରୀ ସତ୍ୟନାରାୟଣ ସାହୁ ଯୋଗଦେବେ । ଅପରାହ୍ନ ୩ଟାରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ କବିତା ଆସର ଓ ମୁଶୟାରା ଆୟୋଜିତ ହେବ । ସନ୍ଧ୍ୟା ସାଢ଼େ ୬ଟାରେ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ ।
Related Stories
November 24, 2024
November 24, 2024