
କନ୍ଧମାଳ– କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଂଚଳରେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ନକ୍ସଲ । ଏହି ଥାନା ଅନ୍ତର୍ଗତ କଞ୍ଜାଲଘୁରେ ୪ଟି ଗାଡ଼ି ପୋଡ଼ିଛନ୍ତି ମାଓବାଦୀ । ଏଥିସହ ଗଛକାଟି ରାସ୍ତାରେ ପକାଇ ରାସ୍ତା ଅବରୋଧ କରିଛନ୍ତି । ଫଳରେ ବାଲିଗୁଡ଼ାରୁ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏସଓଜି ଓ ଡ଼ିଭିଏଫ ଯବାନ ମାନେ ଘଟଣାସ୍ଥଳରେ ପହଂଚିଛନ୍ତି । ତେବେ ଲ୍ୟାଣ୍ଡ ମାଇନ୍ ର ଭୟ ଓ ଆମ୍ବୁସ୍ ଭୟ ଯୋଗୁଁ ପୋଲିସ ସତର୍କତାର ସହିତ ଆଗକୁ ବଢୁଛି ।
ପ୍ରକାଶ ଥାଉ କି, ଗତକାଲି କେକେବିଏନ୍ ମାଓ ସଂଗଠନ ପକ୍ଷରୁ କ. ନୂଆଗାଁ ଥାନା ଅନ୍ତର୍ଗତ କଞ୍ଜାମେଣ୍ଡି ଠାରେ ଲାଲ୍ ବାହିନୀର ଲାଲ୍ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଏହି ବ୍ୟାନରରେ ଗତ କିଛି ଦିନ ତଳେ ପୋଲିସ କୁମ୍ବିଂ ଅପରେସନରେ ମୃତ୍ୟୁବରଣ କରିଥିବା ୫ ଜଣ ମାଓବାଦୀଙ୍କୁ ସଂଗଠନ ପକ୍ଷରୁ ସହିଦ୍ ଭାବେ ଘୋଷଣା କରାଯିବା ସହିତ ସେମାନଙ୍କୁ ଲାଲ୍ ସଲାମ କରାଯାଇଥିଲା । ଏପରିକି ଏହି ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ବାଲିଗୁଡ଼ା ଓ ଆଖ ପାଖ ଅଂଚଳରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟର ଜରିଆରେ ଆସନ୍ତା ୧୮ରୁ ୨୪ ତାରିଖ ଯାଏଁ ସହିଦ୍ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯାଇଥିଲା ।