
ଜୟପାଟଣା – କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଖଙ୍ଗାରଗୁଡ଼ା ଗ୍ରାମରେ ସାମାନ୍ୟ ପାଟିତୁଣ୍ଡକୁ କେନ୍ଦ୍ର କରି ଜଣେ ଦୋକାନୀ ଅନ୍ୟ ଜଣେ ଗରାଖ ପେଟରେ ଛୁରୀ ଭୁସି ଫେରାର ହୋଇଯିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, କଲମପୁର ବ୍ଳକ୍ ବଡ଼କୁଟୃ ପଞ୍ଚାୟତ ଅନ୍ତର୍ଗତ ଖଙ୍ଗାରଗୁଡ଼ା ଗ୍ରାମର ଉଦିତ୍ କୁମାର ପଣ୍ଡା ପିତା ପ୍ରତାପ କିଶୋର ପଣ୍ଡା ଗାଁ ରେ ଥିବା ଅମିତ କୁମାର ବେହେରାଙ୍କ ଦୋକାନକୁ ରବିବାର ରାତି ୮ଟା ବେଳେ ଅଣ୍ଡା କିଣିବା ପାଇଁ ଯାଇଥିଲେ । ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ଥିବା ସତ୍ୱେ କୌଣସି କାରଣରୁ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଅମିତ୍ ଏକ ଛୁରୀ ଧରି ଉଦିତ୍ ର ତଳି ପେଟକୁ ଶକ୍ତ ଆଘାତ କରିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦିତ୍ କୁ ପ୍ରଥମେ ଭବାନୀପାଟଣା ଡ଼ାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ସୂଚନା ପାଇ ବଡ଼କୁଟୃ ଫାଣ୍ଡି ଓ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତର ଏଯାବତ୍ ପତ୍ତା ମିଳୁନି । ଏ ସଂକ୍ରାନ୍ତରେ ଜୟପାଟଣା ଥାନାରେ କେଶ୍ ନଂ. ୨୫୨ ରେ ପଞ୍ଜିକୃତ କରାଯାଇ ଅନୁସନ୍ଧାନ ଜାରି ରହିଥିବା ଜଣାପଡ଼ିଛି ।