ମାଲକାନଗିରି– ଲଘୁଚାପଜନିତ ଗତ ଦୁଇ ଲଗାଣ ବର୍ଷାରେ ବେହାଲ୍ ହୋଇପଡିଛି ମାଲକାନଗରି ଜିଲ୍ଲା । କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାର ମାଥିଲି ବ୍ଲକରେ ସର୍ବାଧିକ ୧୮୪ ମିଲିମିଟର, କାଲିମେଳା ବ୍ଲକରେ ୧୪୪ ମିମି ବର୍ଷା ରେକର୍ଡ଼ କରାଯାଇଛି । ବିଶେଷ କରି ଲଗାଣ ବର୍ଷାରେ ଏହି ଦୁଇଟି ବ୍ଲକରେ ଫସଲ, ରାସ୍ତାଘାଟ ଓ କିଛି ଲୋକଙ୍କ କଚକଚା ଘର ଭାଙ୍ଗିଥିବାର ଖବର ମିଳିଛି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାପାଳ ମନୀଷ କୁମାର ଅଗ୍ରୱାଲ ଏହି ଦୁଇଟି ବ୍ଲକର ତହସିଲଦାରଙ୍କୁ ପରିସ୍ଥିତି ଉପରେ ନଜର ରଖି ତୁରନ୍ତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ସକାଳୁ ମାଲକାନଗରି – କାଲିମେଳା ଜାତୀୟ ରାଜପଥର ପୋଟେରୁ, କାଙ୍ଗୁରୁକୋଣ୍ଡା । କାଲିମେଳା-ମୋଟୁ ରାସ୍ତାର ଏମଭି-୯୦, ଏମଭି-୯୬, ମହାରାଜପାଲି, କାଲିମେଳା ପଡ଼ିଆ ରାସ୍ତାର କନ୍ୟାଶ୍ରମ ବ୍ରିଜ୍, ଓ ପୁଷୁଗୁଡ଼ା ଓ ମାଲକାନଗିରି – ମାଥିଲି ଜାତୀୟ ରାଜପଥର ପାଙ୍ଗାମ ଠାରେ ୩ ଫୁଟ୍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଏସବୁ ସ୍ଥାନରେ ଦୀର୍ଘ ଘଂଟା ଧରି ଯାନବାହନ ଗୁଡିକଅଟକି ରହିଛି । ଏପରିକି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଏମଭି- ୭୯ ଓ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳା ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇନପାରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଟେରୁ ଓ ସାବେରୀ ନଦୀ, ନିକଟରେ ରହିଥିବା ନଦୀକୂଳିଆ ଗ୍ରାମ ଗୁଡିକର ଲୋକମାନଙ୍କୁ ଆଣି ବିଭିନ୍ନ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳିରେ ରଖାଯାଇଛି । ଆଜି ସକାଳୁ ବର୍ଷା ଛାଡିବା ପରେ ଧିରେ ଧିରେ ଜଳସ୍ରୋତ ହ୍ରାସ ପାଉଥିବା ଜଣାପଡିଛି ।