ମାଲକାନଗିରି– ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଚାଂୟତ ଅର୍ଣ୍ଣାମାଳ ଗ୍ରାମରେ ଗତକାଲି ସଂନ୍ଧ୍ୟାରେ ଜମିରେ ହିଡ଼ କରିବାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଅର୍ଣ୍ଣାମାଳ ଗ୍ରାମର ଦେବା ମାଡ଼କାମି (୫୨) ଓ ପୁନା ମାଡ଼କାମି (୫୦)ଙ୍କ ଜମି ପାଖାପାଖି ରହିଛି । ଜମି ମଝିରେ ହିଡ଼ କରିବାକୁ ନେଇ ବୁଧବାର ସଂନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦେବା ହିଡ଼ କରିବା ପାଇଁ ନେଇଥିବା କୋଦାଳରେ ପୁନାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ବେଳେ ସେ ସେଠାରୁ ଚାଲିଯାଇଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ । ଯିଏ ତାକୁ ମେଡ଼ିକାଲ ନେବ ମୁଁ ତାକୁ ମାରିଦେବି ଦେବା ଧମକ ଦେବାରୁ ଭୟରେ କେହି ଆଣିବାକୁ ସାହସ କରିନଥିଲେ । ଆଜି ସକାଳୁ କାଲିମେଳା ଥାନା ପୋଲିସ ଖବର ପାଇ ଗ୍ରାମକୁ ଯାଇ ଗୁରୁତର ଆହତ ହୋଇଥିବା ପୁନାକୁ ଚିକିତ୍ସା ନିମନ୍ତେ ଆଣି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମାଲକାଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତ ଦେବାକୁ ପୋଲିସ ଥାନାକୁ ଆଣି ପଚରରା ଉଚୁରା ଚଳାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।