ବ୍ରହ୍ମପୁର: ଉପଖଣ୍ଡସ୍ତରୀୟ ୭୪ତମ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କରୋନାର ସ୍ଥିତି ଯୋଗୁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ଓଡ଼ିଶା ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡିକ କୋଭିଡ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାରକରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା । ଏହି ସମାରୋହ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ଠାରେ ପାଳନ କରାଯିବ । କେବଳ ପୋଲିସ ବାହିନୀ ପ୍ୟାରେଡ୍ରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଅନ୍ୟ କୌଣସି ଦଳକୁ ପ୍ୟାରେଡ୍ରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ । ଏହି କାର୍ଯ୍ୟକ୍ରମରେ ସାଧାରଣଜନତା ଅଂଶଗ୍ରହଣ କରିପାରିବେ ନାହିଁ । କରୋନା ଯୋଦ୍ଧା ଭାବେ ପରିଚିତ ଆଶା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ପୋଲିସ, ଅଗ୍ନିଶମ ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ତରଫରୁ ପ୍ରାତଃ ୪.୩୦ମିନିଟ୍ରେ ବ୍ରହ୍ମପୁର ସହରର ରାମଧୂନ ପରିବେଷଣ କରାଯିବ । ପୂର୍ବାହ୍ନ ୯.୧୫ରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯିବ । ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ-ଇନଭାଇଟ୍ ଦ୍ୱାରା ଆମନ୍ତ୍ରିତ କରାଯିବ । ଅତିଥି ମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ୱାରା ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ରେ ବୃକ୍ଷରୋପଣ ଆୟୋଜନ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଆର୍.ଆଇ ଅଫ୍ ପୋଲିସ ଦିଲ୍ଲୀପ କୁମାର ବେହେରା, ଅତିରିକ୍ତ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ସହକାରୀ ନିର୍ବାହୀଯନ୍ତ୍ରୀ ରାମଚନ୍ଦ୍ର ସେଠୀ ଓ କାଜଲ କୁମାରୀ ସାହୁ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ଓ ସମୀର କୁମାର ଦାସ ସହଯୋଗ କରିଥିଲେ ।