“ବିଦ୍ୟାପତେଶ୍ଚ କୂଳଜାସ୍ତଥା ବିଶ୍ଵାବସୁ ପ୍ରିୟ |
ଏତେ ଗତ୍ଵା ତୁ ଦେବାନାଂ ସ୍ଵର୍ଣ୍ଣରେଖାଦିକ ଦ୍ରୁତଂ ||”
ଅର୍ଥାତ୍ ବିଦ୍ୟାପତି ଓ ବିଶ୍ଵାବସୁ କୂଳ ର ସେବକ ମାନେ ଯାଇ ବଡ଼ଠାକୁର ଶ୍ରୀ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୁଖ ମଣ୍ଡଳ ରେ ତିନି ଆଙ୍ଗୁଳି ଓସାର ର ରମଣୀୟ ସୁବର୍ଣ୍ଣ ରେଖା କରାଇ ଭୂଷିତ କରାଇଥିଲେ ।
ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଠାକୁରମାନଙ୍କ ର ରାହୁ ରେଖା ଲାଗି ହୋଇଥାଏ. ବିଗ୍ରହ ମାନଙ୍କ ର ଶ୍ରୀ ମୁଖର ଚତୁଃପାର୍ଶ୍ଵରେ ସ୍ପର୍ଶ ନିର୍ମିତ ଏକ ବଳୟ ପଟି କୁ ରାହୁ ରେଖା କୁହାଯାଏ ।
ଆଜି ଗୋପାଳବଲ୍ଲଭ ଭୋଗ ବଢିବା ପରେ ତଢ଼ାଉ କରଣ ଓ ଦେଉଳକରଣ ଭଣ୍ଡାର ମେକାପ ଙ୍କୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିଥିଲେ । ବେହେରଣ ଦ୍ୱାର ନିକଟରେ ଥିବା ଶ୍ରୀମନ୍ଦିର ବଣିଆ ସେବକ ଉକ୍ତ ରାହୁରେଖା କୁ ମାଜି ସଫା କରିଥିଲେ ।
ଭୋଗମଣ୍ଡପ ନୀତି ବଢିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥିଲେ । ଏହାପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଉଠି ଶ୍ରୀଜୀଉ ମାନଙ୍କର ଝୋବା ମଇଲମ କରାଯାଇଥିଲା । ସୁଦୁସୁଆର ସିଂହାସନ ତଳେ ଓଷୁଅ ରଖିଥାନ୍ତି ଏବଂ ବୋଇରାଣୀ ବସ୍ତ୍ର ପାହାଡ଼ା ପକାଇଥାନ୍ତି। ବଣିଆ ମାନେ ସେହି ବୋଇରାଣୀ ପାହାଡ଼ା ଉପରେ ସ୍ବର୍ଣ୍ଣ ରାହୁରେଖା ରଖି ଉକ୍ତ ଓଷୁଅରେ ମୁହଁ ବନ୍ଦ କରିଥିଲେ । ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡକାଯାଇଥିଲା । ଦଇତାପତିମାନେ ଆସି ବେହେରଣ ତଳେ ଗୋଡ଼ ଧୋଇ ସିଂହାସନ ଉପରକୁ ଉଠି ଏବଂ ଗରାବଡୁ ସେବକ ଠାରୁ ହାତୁଆଣୀ ନେଇ ପାଳିଆ ମେକାପ ଠାରୁ ଶ୍ରୀ ଅଙ୍ଗ ମଣି ନେଇଥିଲେ ।
ପାଳିଆ ମେକାପ ପ୍ରଥମେ ବଡ଼ବାଡ଼ଙ୍କର ରାହୁରେଖା ପତି ମହାପାତ୍ରଙ୍କ ହାତକୁ ବଢ଼ାଇଥିଲେ । ପତିମହାପାତ୍ରେ ଉକ୍ତ ରାହୁରେଖା କୁ ସଂସ୍କାର ପୂର୍ବକ ଯଥାକ୍ରମେ ତିନି ବାଡ଼ର ବାଡ଼ଗ୍ରାହୀ ଦଇତାମାନଙ୍କୁ ବଢ଼ା ଯାଇଥିଲା । ଏହାପରେ ସମସ୍ତ ଦଇତାମାନେ ମିଶି ସୁଧସୁଆର ଠାରୁ ଓଷୁଅ ଓ ଚାଙ୍ଗଡ଼ା ମେକାପଙ୍କ ଠାରୁ ବଇଟମ ନେଇ ରୁନ୍ଧା କାର୍ଯ୍ୟ ଶେଷ କରିଥିଲେ ।
ଏହି ରୁନ୍ଧା କାର୍ଯ୍ୟ ଶେଷ ହେବା ପରେ ପାଳିଆ ମେକାପ ଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନ କୁ ଓହ୍ଲାଇ ଆସିଥିଲେ ।
ଏହାପରେ ପାଳିଆ ମେକାପ ସିଂହାସନ ପୋଛା ମାରିବା ପରେ ପୂଜାପଣ୍ଡାଙ୍କ ଦ୍ଵାରା ମହାସ୍ନାନ ନୀତି ସମ୍ପର୍ଣ୍ଣ ହୋଇଥିଲା । ତତ୍ପରେ ମହାଜନ ସେବକ ଭୂଦେବୀ ଓ ଶ୍ରୀଦେବୀ ଙ୍କୁ ଖଟ ଶେଜ ଘରୁ ଆଣି ରତ୍ନସିଂହାସନ ରେ ବିଜେ କରିଥିଲେ । ଏହାପରେ ଶ୍ରୀଜୀଉମାନଙ୍କ ମଇଲମ ହୋଇ ବେଶ ବଢିଥିଲା । ତତ୍ପରେ ମଧ୍ୟାହ୍ନ ଧୂପ ପୂଜା ସରି ଭିତରେ ପାଣି ପଡିବା ପରେ ପୂଜାପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ୩ ବାଡ଼ରେ ବନ୍ଦାପନା କରିଥିଲେ । ଏହାପରେ ଅନ୍ୟାନ୍ୟ ଦୈନିକ ନୀତି ଆରମ୍ଭ ହୋଇଥିଲା ।