ଭୁୁବନେଶ୍ୱର– ଗତବର୍ଷ ତୁଳନାରେ ‘ବୟନିକା’ ଚଳିତ ବର୍ଷ ୨୦ କୋଟି ଟଙ୍କାର ବ୍ୟବସାୟ ଏ ଯାବତ୍ ହରାଇ ସାରିଛି । ଯଦି ଏହି କୋଭିଡ୍ ସମସ୍ୟା ଶୀଘ୍ର ଦୂରୀଭୂତ ନହୁଏ ‘ବୟନିକା’ ଅଧିକ ବ୍ୟବସାୟ ହରାଇବ । ଏହାକୁ ଦୃଷ୍ଟିରେ ରଖି ଏବଂ ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ତାଙ୍କର ବସ୍ତ୍ରକୁ କିଣିବା ନିମନ୍ତେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶା ସରକାର ‘ବୟନିକା’କୁ ୧୫ କୋଟି ଟଙ୍କାର ସୁଧମୁକ୍ତ କାର୍ଯ୍ୟକାରୀ ମୂଳଧନ ଯୋଗାଇ ଦେବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି ।
ମହାମାରୀ କୋଭିଡ୍ ର ସଂକ୍ରମଣରେ ସମଗ୍ର ରାଜ୍ୟ ତଥା ଦେଶ ପ୍ରପୀଡ଼ିତ । ଏହି ପରିପ୍ରେକ୍ଷୀରେ ବୁଣାକାରଙ୍କ ପ୍ରତି ‘ବୟନିକା’ର ଦାୟିତ୍ୱବୋଧତା ବହୁଗୁଣିତ ହୋଇଛି । ଏହି ପରିସ୍ଥିତିରେ ବୁଣାକାରମାନେ ନିଜର ବୃତିକୁ କିପରି ବଂଚାଇ ରଖିବା ସହ ନିଜର ଜୀବିକା ଉପାର୍ଜନ କରିପାରିବେ ସେଥିପାଇଁ ଅପ୍ରେଲ୍ ୨୦ ତାରିଖଠାରୁ ଏ ଯାବତ୍ ‘ବୟନିକା’ ବିଭିନ୍ନ ବୁଣାକାର ସମବାୟ ସମିତିକୁ ୪ କୋଟି ୩୦ ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି ଏବଂ ସେମାନଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କାର ଲୁଗା କ୍ରୟ କରିଛି । ମଜୁରି ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ ୧୨ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହା ଦ୍ୱାରା ଓଡ଼ିଶାର ବୁଣାକାରମାନେ ନିଜର କୌଳିକ ବୃତିକୁ ବଂଚାଇ ରଖିବାରେ ସକ୍ଷମ ହୋଇପାରିଛନ୍ତି ।