କନ୍ଧମାଳ– କନ୍ଧମାଳ ଜିଲ୍ଲାରେ ଆଜି ଆଉ ୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଓ ୨୦ ଜଣ ମହିଳା ରହିଛନ୍ତି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀ ବ୍ଲକରୁ ୩ ଜଣ, ଜି. ଉଦୟଗିରି ବ୍ଲକରୁ ୧୨ ଜଣ, ଦାରିଙ୍ଗବାଡ଼ି ବ୍ଲକରୁ ୨ ଜଣ, ଟିକାବାଲି ବ୍ଲକରୁ ୩ ଜଣ, କେ. ନୂଆଗାଁ ବ୍ଲକରୁ ୩ ଜଣ, କୋଟଗଡ଼ ବ୍ଲକରୁ ୬ ଜଣ, ତୁମୁଡ଼ିବନ୍ଧ ବ୍ଲକରୁ ୬ ଜଣ, ରାଇକିଆ ବ୍ଲକରୁ ୫ ଜଣ, ବାଲିଗୁଡ଼ା ଏନଏସିରୁ ୧୭ ଜଣ, ଫରିଙ୍ଗିଆ ବ୍ଲକରୁ ୩ ଜଣ ଏବଂ ଖଜୁରିଆପଡ଼ା ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ କୁ ବୃଦ୍ଧି ପାଇଛି । ଅଦ୍ୟାବଧି ୩୭୦ ଆକ୍ରାନ୍ତ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ୩୦୬ ରହିଛି । ସେହିପରି ଜିଲ୍ଲାରେ ଅଦ୍ୟାବଧି କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ତେବେ କୌଣସି ପ୍ରକାରେ ଏଥିରେ ଭୟଭିତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ନିରାପଦରେ ଘରେ ରହିବା ଏବଂ କୌଣସି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ହାତ ଧୋଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।