ବାରିପଦା– ମୟୂରଭଞ୍ଜ ଜିଲ୍ଲାରେ ଆଜି ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ଉଦଳା ବ୍ଲକ ଖଲାଡ଼ି ପଚାଂୟତ ଅନ୍ତର୍ଗତ କଇଁସାରୀ ଅଂଚଳରୁ- ୧, ଶାମାଖୁଂଟା ବ୍ଲକ ପାଇକବସା ଅଂଚଳରୁ-୧, କରଞ୍ଜିଆ ବ୍ଲକ ବଡ଼ଦେଉଳି ଅଂଚଳରୁ-୧, ଶୁକୃଳି ବ୍ଲକର ଶୁକୃଳି ଅଂଚଳରୁ-୧, ଖୁଂଟା ବ୍ଲକ ବଡ଼ପଥରା ପଚାଂୟତ ବହଳଦା ଅଂଚଳରୁ-୧ ଓ ବାହାନଡ଼ା ପଚାଂୟତ ବାହାନଡ଼ା ଅଂଚଳରୁ-୧, ଗୋପବନ୍ଧୁନଗର ବ୍ଲକ ସାନଖୁଂଟା ପଚାଂୟତ ସାହାଡ଼ାଗଡ଼ି ଅଂଚଳରୁ-୨, ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୨ ବେଲଗଡ଼ିଆ ଅଂଚଳରୁ-୧ ଓ ୱାର୍ଡ଼ ନମ୍ବର ୫ ବଡ଼ବଜାର ଅଂଚଳରୁ-୧ ଏବଂ ଯଶୀପୁର ବ୍ଲକ ଦୁରଦୁରା ଅଂଚଳରୁ-୧, ଜାମୁକେଶ୍ୱର ପଚାଂୟତ ଦିଗପୋଷି ଅଂଚଳରୁ-୧ ଓ ଧଳବଣି ପଚାଂୟତ ବଡ଼ଶୋଳ ଅଂଚଳରୁ-୧କୁ ମିଶାଇ ମୋଟ୍ ୧୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୬୫୧ରେ ପହଁଚିଛି । ଆକ୍ରାନ୍ତମାନଙ୍କ ମଧ୍ୟରେ ସ୍ଥାନୀୟ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସମୟରେ ଜଣେ ପଶ୍ଚିମବଙ୍ଗ ଓ ଅନ୍ୟ ଜଣେ ମହାରାଷ୍ଟ୍ର ରାଜ୍ୟ ଫେରି ସିଧାସଳଖ ଭାବେ ସରକାରୀ କ୍ୱରେଂଟାଇନରେ ରହିଥିଲେ । ସେହିପରି ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧ ଜଣ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଛନ୍ତି ଏବଂ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ ହସପିଟାଲରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସେହିପରି ଜୁଲାଇ ୩୦ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୪୫୪ ରହିଥିବା ସମୟରେ ୩୧ ଜୁଲାଇ ସୁଦ୍ଧା ସକ୍ରିୟ ସଂଖ୍ୟା ୧୯୫ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୨ ଥିବାର ଜଣାପଡ଼ିଛି । ତେବେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦତ କୋଭିଡ଼-୧୯ ସମ୍ପର୍କିତ ସୂଚନାରେ ୧୧ ଲୋକାଲ କଂଟାକ୍ଟମାନଙ୍କ ବିସ୍ତୃତ ବିବରଣୀ ନିମ୍ନରେ ରହିଥିବାର ଉଲ୍ଲେଖ କରାଯାଇଛି । ମାତ୍ର ଦିଆଯାଇଥିବା ସୂଚନାରେ ୧୧ ବଦଳରେ ୧୩ ଜଣଙ୍କର ବିବରଣୀ ରହିଥିବା କାରଣରୁ ଜିଲ୍ଲାର କେଉଁ ବ୍ଲକରୁ କେତେ ଲୋକାଲ କଂଟାକ୍ଟ ଓ ହୋମ କ୍ୱାରେଂଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ସଠିକ୍ ତଥ୍ୟ ଉପସ୍ଥାପନ କରାଯିବା ସମ୍ଭବ ହୋଇପାରି ନାହିଁ । ତେଣୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା କୋଭିଡ଼-୧୯ ସମ୍ପର୍କିତ ସୂଚନା ନିର୍ଭୂଲ ଭାବେ ଯଥା ସମୟରେ ପ୍ରଦାନ କରାଯିବା ନିମନ୍ତେ ଜନସାଧାରଣ ପକ୍ଷରୁ ଦାବି କରାଯାଇଛି ।