-
ସ୍ଥିତି ଅନୁଧ୍ୟାନକରି ସମୀକ୍ଷାକଲେ ଜିଲ୍ଲାପାଳ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ ଆସନ୍ତା ୨ଦିନ ମଧ୍ୟରେ ଓଡ଼ିଶା ସରକାରଙ୍କ ସହାୟତାରେ ଉତ୍ସର୍ଗିକୃତ କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବ । ଯାହାଫଳରେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା କରୋନା ରୋଗୀ ଏଥିରେ ଉପକୃତ ହୋଇପାରିବେ । ଏମ୍କେସିଜିରି ଶିଶୁ ବିଭାଗରେ ୧୫୦ ଶଯ୍ୟା, ୨୦ଟି ଆଇସିୟୁ ଓ ସମସ୍ତ ଶଯ୍ୟାକୁ ଅକ୍ସିଜେନ ସପଟ ରହିଛି । କରୋନା ରୋଗୀଙ୍କୁ ବୃହତ୍ତର ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏମ୍କେସିଜିରେ ଏହି ସେବା ଗଞ୍ଜାମ ଜିଲ୍ଲାବାସୀଙ୍କ ନିମନ୍ତେ ଉତ୍ସର୍ଗିକୃତ କରିଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥିତି ଅନୁଧ୍ୟାନକରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗଳବାର ଏମ୍କେସିଜି ଅଧିକ୍ଷକଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହା ହସ୍ପିଟାଲ ଆସନ୍ତା ୨ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ତେଣୁ ସମସ୍ତେ ମିଳିମିଶି କରୋନା ରୋଗୀଙ୍କୁ କିପରି ଉତ୍ତମ ସେବା ଯୋଗାଇ ଚିକିତ୍ସା କରିବା ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନଦେବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ ।