ମାଲକାନଗିରି-ଆଜିଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେଉଛି। ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଗାଁ ଗାଁରେ ଏହି ସପ୍ତାହକୁ ପାଳନ କରିବେ ବୋଲି ସୂଚନା ମିଳିଛି। ଯାହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୀମା ସିଲ କରାଯିବା ସହ ଯାଞ୍ଚ କଡାକଡି କରାଯିବାସହ ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କର ପରିଚୟ ପଚରାଯିବା ସହ ତାଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପୋଲିସ ନେଉଛି। ଆନ୍ଧ୍ର, ତେଲେଙ୍ଗାନା ଏବଂ ଛତିଶଗଡ ସୀମାକୁ ସିଲ କରିବା ସହ ମାଓ ଗତିବିଧି ଉପରେ ନଜର ରଖିଛି ପୋଲିସ। ସେହିପରି ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ସୂଚନାଥାଉକି, ଶହୀଦ ସପ୍ତାହର କିଛି ଦିନ ପୂର୍ବରୁ ମାଓବାଦୀଙ୍କୁ ଲାଗିଥିଲା ବଡ ଝଟକା। ଗତ ଦୁଇ ଦିନ ତଳେ ମାଓବାଦୀ ଏବଂ ପୋଲିସ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ବିଏସଏଫ ଯବାନ ମଧ୍ୟ ଦିନ ରାତି ପଇଁତରା ମାରୁଛନ୍ତି। ଜିଲ୍ଲାସାରା ବିଏସଏଫ ଛାଉଣି ହୋଇଥିବାରୁହିଂସାକାଣ୍ଡ ଘଟାଇବା ସହଜ ନୁହେଁ ବୋଲି କୁହାଯାଉଛି।ସେପଟେ ଡିଭିଏଫ, ଏସଓଜି ଯବାନ ମଧ୍ୟ ଜଙ୍ଗଲରେ କୁମ୍ବିଂକୁ ଜୋରଦାର କରିଥିବା ଜଣାପଡିଛି। ସୁରକ୍ଷାବାହିନୀ ମାଓବାଦୀ ବିରୋଧରେ ଗୋଟିଏ ପରେ ଗୋଟିଏ ଅପରେସନ ଜାରି ରଖିଛି। ଗାଁ ଗାଁରେ ଲୋକେ କୌଣସି ଭୟ ନକରି ସାଧାରଣ ଜୀବନଯାପନ କରନ୍ତୁ ବୋଲି ପୋଲିସ କହିଛି। ପୂର୍ବରୁ ଶହୀଦ ସପ୍ତାହ ବେଳେ ବହୁ ହିଂସା ଘଟାଇଥିବା ଯୋଗୁଁ ପୋଲିସ ମଧ୍ୟ ହାତେ ମାପି ଚାଖଣ୍ଡେ ଚାଲୁଛି। ଶହୀଦ ସପ୍ତାହରେ କୌଣସି ଅଧିକାରୀଙ୍କୁ ଆଭନ୍ତରୀଣ ଅଞ୍ଚଳକୁ ନଯିବାକୁ କୁହାଯାଇଛି।