-
ତଦନ୍ତ ଦାବିରେ ପ୍ରତି ବ୍ଲକ ଆଗରେ ଆନ୍ଦୋଳନ ଚେତାବନୀ
ଭୁବନେଶ୍ୱର– ଓଡିଶାରେ ମନରେଗା କାମ ଜେସିବି, ଟ୍ରାକ୍ଟର , କଂଟ୍ରାକ୍ଟର , ବିଜେଡି ନେତା ଓ କିଛି ଅସାଧୁ ଅଫିସର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପ୍ରକୃତ ଗରୀବ ହିତାଧିକାରୀଙ୍କ ଅର୍ଥକୁ ବିଜେଡିର ନେତା ଓ ଠିକାଦାରମାନେ ଏବଂ କିଛି ଅସାଧୁ ବ୍ଲକ ଅଫିସର ମାନେ ଆତ୍୍ମସାତ କରୁଛନ୍ତି । ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥ ଗରିବ ଜନସାଧାରଣଙ୍କ ପାଖରେ ପହଂଚୁ ନାହିଁ ତେଣୁ ରାଜ୍ୟସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକ୍ ଦିଅନ୍ତୁ ଏବଂ ଅନିୟମିତତା ହୋଇଥିବା ସ୍ଥାନରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ନଚେତ ବିଜେପି ପକ୍ଷରୁ ଓଡିଶାର ପ୍ରତି ବ୍ଲକ ଆଗରେ କୋଭିଡ ନିୟମକୁ ପାଳନ କରି ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଚେତାବନୀ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଚାଲିଛି । ଅନେକ ସ୍ଥାନରେ ମେସିନ ଦ୍ୱାରା କାମ କରାଯାଉଛି । ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ବିଡିଓ, କଂଟ୍ରାକ୍ଟର ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ମନରେଗା ବାଟବଣା ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଜେସିବି ଓ ଟ୍ରାକ୍ଟର ଲଗାଇ ରାତିଅଧିଆ କାମ କରାଯାଉଛି । ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି, ବାର୍ଦ୍ଧକ୍ୟ ଭତା ପାଉଥିବା ବୃଦ୍ଧଙ୍କ ନାଁରେ ଟଙ୍କା ଉଠାଣ ହୋଇ କଂଟ୍ରାକ୍ଟର ହାତକୁ ଯାଉଛି । ଜବରଦସ୍ତି ଘରୋଇ ଜମିରେ ମେସିନ ଲଗାଇ ରାତିଅଧିଆ କାମ କରି ମନରେଗା ଟଙ୍କାକୁ ହଡପ କରାଯାଉଛି ଏବଂ କାମ ନକରି ମିଥ୍ୟା ବିଲ କରି ମନରେଗା ଅର୍ଥକୁ ବାଟମାରଣା କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।
ଖଲ୍ଲିକୋଟ ବ୍ଲକର କୋମଣ୍ଡ ଗ୍ରାମପଂଚାୟତରେ ରଙ୍ଗ ବନ୍ଧ ପୋଖରୀ ଖୋଳା ରେ ବ୍ୟାପକ ଦୁର୍ନୀତି ହୋଇଛି । ଅଦ୍ୟାବଧୀ ୧୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀ କାର୍ଯ୍ୟ ଅସଂପୂର୍ଣ୍ଣ ହୋଇ ପଡିଛି । ଖଲ୍ଲିକୋଟ ବ୍ଲକର ବାକୁଟ ଗ୍ରାମପଂଚାୟତର ବଧି ବନ୍ଧ କାମ ଜେସିବି ଦ୍ୱାରା ହେବା ସହ ପଂଚାୟତ ପିଅନ, ଅଙ୍ଗନବାଡି ସହାୟକ, ୭୦ରୁ ୮୦ ବର୍ଷର ବୃଦ୍ଧ ଏବଂ ଏକ୍ସ ଆର୍ମିଙ୍କ ସ୍ତ୍ରୀଙ୍କ ନାଁରେ ପେଂମେଟ ପରେ ଟଙ୍କା କଂଟ୍ରାକ୍ଟର ହାତକୁ ଯାଇଛି । ନିଆଳି ବ୍ଲକର କୃଷ୍ଣ ପ୍ରସାଦ ଗ୍ରାମପଂଚାୟତର ନୂଆ ପିତାପଡା ଗ୍ରାମରେ ଲକ୍ଷ୍ମୀକାନ୍ତ ମହାରଣା ଓ ମନୋରଂଜନ ମହାନ୍ତିଙ୍କ ନିଜସ୍ୱ ଜମିରେ ମେସିନ ଲଗାଇ ରାତିଅଧିଆ ପୋଖରୀ ଖୋଳିଦିଆଯାଇଛି । ଏ ସମ୍ବନ୍ଧରେ ବିଡିଓଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମଳିନି । ସେହିପରି ରଣପୁର ବ୍ଲକର ଗୋପାଳପୁର ପଂଚାୟତ ଅନ୍ଧାରୁଆ ଗାଁରେ ରାସ୍ତା କାମରେ ବ୍ୟାପକ ଅନିୟମିତତତା ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।