ଝାରସୁଗୁଡା– ଝାରସୁଗୁଡା ଜିଲ୍ଲା ଭିତରକୁ ଅନ୍ୟ ରାଜ୍ୟର ଲୋକଙ୍କୁ ପ୍ରଵେଶ ମନା ଥିବାବେଳେ ନିୟମ ଭଙ୍ଗ କରି ଅନ୍ୟ ରାଜ୍ୟରୁ ଆସିଥିବା ୨୮ ଜଣ ଶ୍ରମିକଙ୍କୁ ଠାବ କରିଛି ଜିଲ୍ଲା ପ୍ରଶାସନ । ରେଳବାଇର କିଛି ନିର୍ମାଣ କାମ ନେଇଥିବା ଜଣେ ଠିକାଦାର ଝାଡଖଣ୍ଡ ଓ ପଶ୍ଚିମବଙ୍ଗରୁ ୨୮ ଜଣ ଶ୍ରମିକଙ୍କୁ ଆଣି ବାଲିଜୋରି ନିକଟରେ ୩ଟି ଛୋଟ ଘରେ ରଖାଇ ନିଜ କାମରେ ନିୟୋଜିତ କରିଥିଲେ । ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ପାଇବା ପରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରମିକ କ୍ୟାମ୍ପରେ ଚଢ଼ଉ କରାଯାଇଛି । ଚଢ଼ଉ ପରେ ସଂପୃକ୍ତ ଠିକାଦାର ଓ ଘର ଯୋଗାଇ ଥିବା ମାଲିକଙ୍କ ନାମରେ ଏତଲା ଦେଇଛନ୍ତି କୋଭିଡ୍ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ । ଏହି ଘଟଣାରେ ବାହାରୁ ଆସିଥିବା ଶ୍ରମିକଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ପଠାଇ ଦିଆଯିବ ବୋଲି କହିଛନ୍ତି ଝାରସୁଗୁଡା ପୌର ପରିଷଦ ନିର୍ବାହୀ ଅଧିକାରୀ ।
ଅପରପକ୍ଷରେ ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ବାହାର ରାଜ୍ୟରୁ ଶ୍ରମିକଙ୍କୁ ଆଣି କାମ କରାଇବା ପୂର୍ବରୁ ସମ୍ପୃକ୍ତ ଠିକାଦାର ସେମାନଙ୍କୁ ନିଜ ଖର୍ଚ୍ଚରେ କ୍ବାରେଣ୍ଟାଇନରେ ରଖି କୋଭିଡ ନିୟମ ଅନୁସାରେ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ପ୍ରଶାସନର ମଞ୍ଜୁରୀ ପାଇବା ପରେ କାମରେ ଲଗାଇ ପାରିବେ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ।