୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ଜନସଂଖ୍ୟା ୨୫,୧୯,୭୩୮ ରହିଥିବା ବେଳେ ଜନସଂଖ୍ୟାର ୯୨.୩୪ ପ୍ରତିଶତ ଲୋକ ଗ୍ରାମାଂଚଳରେ ବସବାସ କରନ୍ତି । ସେହିପରି ଜିଲ୍ଲାରେ କୌଣସି ବୃହତ ଓ ଯୁଦ୍ର ଆଦି ଶିଳ୍ପ ପ୍ରତିଷ୍ଠା ହୋଇପାରିନଥିବାରୁ କୃଷି କାର୍ଯ୍ୟ ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କର ଏକମାତ୍ର ଆୟ ଉପାର୍ଜନର ମାଧ୍ୟମ ହୋଇଥାଏ । ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ୪.୩୭ ଲକ୍ଷ ହେକ୍ଟର ଜମିରେ କୃଷକମାନେ ଖରିଫ ଋତୁରେ ଧାନ ଚାଷ କରିଥାନ୍ତି । ଏହା ମଧ୍ୟରେ ୧.୮୫ ଲକ୍ଷ ହେକ୍ଟର ଉଚ୍ଚ ଜମି ରହିଥିବା ବେଳେ ୧.୨୫ ଲକ୍ଷ ହେକ୍ଟର ମଧ୍ୟମ ଓ ୧.୨୬ ଲକ୍ଷ ହେକ୍ଟର ତଳିଆ ଜମି ରହିଛି । ଜିଲ୍ଲାରେ ଅନେକ ଛୋଟବଡ଼ ଅନେକ ଜଳଉତ୍ସ ରହିଥିଲେ ମଧ୍ୟ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ସୁବିଧାଜନକ ନୁହେଁ । ଏହି ସମସ୍ତ ଜମିଗୁଡ଼ିକ ମଧ୍ୟରୁ ଖରିଫ ଋତୁରେ ୨୭, ୭୫୫ ହେକ୍ଟର ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ରହିଛି । ସେହିପରି ଉଚ୍ଚ ଜମିଗୁଡ଼ିକରେ ବାଇଗଣ, କୋବି, ମୂଳା, ପୋଟଳ, କଲରା, ଜହ୍ନି, କାକୁଡ଼ି, ବୋଇତାଳୁ, ଲାଓ ଆଦି ପନିପରିବା ସହ ମକା, ମୁଗ, ବିରି, ହରଡ଼, ଚିନାବାଦାମ, ରାଶି(ତିଳ), ଅଦା ଆଦି ଡ଼ାଲି, ତୈଳ ଓ ମସଲା ଜାତୀୟ ଚାଷ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଜିଲ୍ଲାରେ ୧୬୪୮.୨ମିମି ଆଭେରେଜରେ ବର୍ଷା ହେଉଥିବା ସମୟରେ ଜୁନ ମାସରୁ ଅକ୍ଟୋବର ମାସ ମଧ୍ୟରେ ଦୈନିକ ୧୦ମିମି ଆଭେରେଜରେ ବର୍ଷା ହେଉଥିବାର ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । କୃଷି ବିଭାଗର ସୂଚନା ଆଧାରରେ ଜୁଲାଇ ମାସର ୨୫ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ଅଂଚଳରେ ହାରାହାରି ଭାବେ ୨୫୦ ମିମି.ରୁ ଅଧିକ ବର୍ଷା ହେବା ବଦଳରେ ୧୭୫.୧୨ମିମି ବର୍ଷା ହୋଇଛି । ଅର୍ଥାତ୍ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି । କୁସୁମୀ ବ୍ଲକରେ ସର୍ବନିମ୍ନ- ୩୬ମିମି., କରଞ୍ଜିଆ ଓ ରରୁଆଁ ବ୍ଲକରେ ୬୮ମିମି., ଶୁକୃଳି ବ୍ଲକରେ ୭୬ମିମି ବର୍ଷା ରେକର୍ଡ଼ ହୋଇଥିବାର ସରକାରଙ୍କ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସେହିପରି ଉଦଳା-୧୧୧.୪୦ମିମି, ତିରିଂ-୧୧୮.୨୦ମିମି, ଶାମାଖୁଣ୍ଟା-୧୩୫, ଯଶୀପୁର-୧୪୦, ରାସଗୋବିନ୍ଦପୁର-୧୪୯.୮୦, ବାଙ୍ଗିରିପୋଷି-୧୫୮, ବାରିପଦା-୧୬୪, ଠାକୁରମୁଣ୍ଡା- ୧୬୪.୫୦, ଶୁଳିଆପଦା- ୧୬୮.୨୦, ଜାମଦା-୧୭୩, ମୋରଡ଼ା- ୧୯୫, ବେତନଟୀ-୧୯୮, ବିଜାତୋଳା- ୨୦୫, କପ୍ତିପଦା- ୨୧୭, ବଡ଼ସାହି- ୨୧୯, ରାଇରଙ୍ଗପୁର-୨୨୬, ଖୁଂଟା ଓ ଗୋପବନ୍ଧୁନଗର- ୨୩୭.୭୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି ଥିବା ସମୟରେ ସ୍ୱଭାଭିକ ହାରଠାରୁ କେବଳ ଜିଲ୍ଲାର ବହଳଦା- ୨୬୫ମିମି, ବିଶୋଇ-୨୭୪ମିମି, କୁଳିଅଣା-୨୭୪.୨୦ମିମି ଓ ସାରସକଣା ବ୍ଲକ ଅଂଚଳରେ ୨୭୪.୪୦ମିମି ବୃଷ୍ଟିପାତ ହୋଇଥିବାର ଜଣାପଡ଼ିଛି । ତେଣୁ ଅଧିକାଂଶ ବ୍ଲକଗୁଡ଼ିକରେ ହୋଇଥିବା ନିଅଂଟିଆ ବର୍ଷା କୃଷି କାର୍ଯ୍ୟରେ ବାଧକ ସାଜିଛି । ଏବିଷୟରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ନିଜ ପ୍ରତିକ୍ରିୟାରେ ଜିଲ୍ଲାରେ ନିଅଂଟିଆ ବୃଷ୍ଟିପାତକୁ ସ୍ୱୀକାର କରିଛନ୍ତି । ଏଥି ସହିତ ପ୍ରତ୍ୟେକ ଦିନ ଜିଲ୍ଲା ସମସ୍ତ ବ୍ଲକରୁ ଆସୁଥିବା ବର୍ଷା ପରିମାଣର ରେକର୍ଡ଼ ଉପରେ ନଜର ରହିଛି । ଯେଉଁ କୃଷକମାନେ ଖରିଫ ଚାଷ କରିବା ନିମନ୍ତେ ଋଣ ନେଇଛନ୍ତି ସେମାନେ ନିଜକୁ ଚଳିତ ଜୁଲାଇ ଶେଷ ପର୍ଯ୍ୟନ୍ତ ଫସଲ ବୀମାଭୂକ୍ତ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ଗ୍ରାମପଂଚାୟତକୁ ନେଇ ଗୋଟାଏ ଗୋଟାଏ ୟୁନିଟ କରାଯାଇଛି । ପ୍ରତ୍ୟେକ ପଂଚାୟତସ୍ତର ୟୁନିଟରେ ଫସଲ ବୀମା କରାଇଥିବା ଚାଷୀର ବର୍ଷା ଅଭାବରୁ ଫସଲ କ୍ଷତିଗ୍ରସ୍ତ ହୁଏ ତେବେ ତିନୋଟି ସୋପାନ ମାଧ୍ୟମରେ ଫସଲ ବୀମାରେ ଅର୍ଥ ମିଳିପାରିବ । ପ୍ରଥମେ ବର୍ଷା ଅଭାବରୁ କୃଷି କାର୍ଯ୍ୟ ଆରମ୍ଭ କରିପାରିନଥିବା କୃଷକକୁ ବୀମା ରାଶି ମିଳିପାରିବ । ଦ୍ୱିତୀୟରେ କୃଷି କାର୍ଯ୍ୟ ଶେଷ କରିଛନ୍ତି, ମାତ୍ର ବର୍ଷା ଅଭାବରୁ ନଷ୍ଟ ହୋଇ ଗଲା ସେ କ୍ଷେତ୍ରରେ ଏବଂ ଅମଳ ସମୟରେ କ୍ରପ କଟିଂ ଅନୁସାରେ କ୍ଷୟକ୍ଷତି ଆକଳନ କରାଯାଇ ବୀମା ଅର୍ଥ ପ୍ରଦାନ କରାଯାଇଥାଏ । ତେବେ ନିଅଂଟିଆ ବର୍ଷା ତୈଳବୀଜ, ମସଲା, ଡ଼ାଲି ଓ ପନିପରିବା ଚାଷ କାର୍ଯ୍ୟକୁ ବିଶେଷ ଭାବେ ପ୍ରଭାବିତ କରାଇବାର ସମ୍ଭାବନା ନ ଥିବା ବେଳେ ଧାନ ଚାଷର ସମୟ ଅଛି । ତେଣୁ ପରବର୍ତୀ ସମୟର ଅବସ୍ଥାକୁ ଅନୁଧ୍ୟାନ ପରେ ଯାହାକିଛି କୁହାଯାଇ ପାରିବ ବୋଲି କହିଥିଲେ । ସେହିପରି ବର୍ତମାନ ଶ୍ରାବଣ ମାସରେ ହିଡ଼ବାଡ଼ ଉଛୁଳି ପାଣି ଭାସିବା ବଦଳରେ ବର୍ଷା ଅଭାବରୁ ଧାନ ତଳି ଶୁଖିଗଲାଣି । ଜମି ଫାଟିବା ଆରମ୍ଭ କରିଛି । ବେଉଷଣ ହୋଇପାରୁ ନାହିଁ । କରୋନା କଟକଣା ସମସ୍ତ ଆୟ ଉପାର୍ଜନକୁ ବନ୍ଦ କରାଇ ଦେଇଥିବା ବେଳେ ଧାନ ଚାଷ ଏକମାତ୍ର ରାସ୍ତା । ଯଦି ବର୍ଷା ନ ହୁଏ, ତେବେ ଘର ସଂସାର ଭାସିଯିବ ବୋଲି ବୋଲି ଖୁଂଟା ବ୍ଲକର ଚାଷୀ କୃଷ୍ଣଚନ୍ଦ୍ର ମହାନ୍ତ କହିଛନ୍ତି ।