ଧର୍ମଶାଳା – ସରକାର ରାଜ୍ୟରେ ବିଭିନ୍ନ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି । ବାସ୍ତବରେ ତାହା ଗ୍ରାମାଂଚଳରେ ଏହି ଯୋଜନା ପଂହଚି ପାରୁ ନଥିବା ବେଳେ କେବଳ ରାଜନୈତିକ ଆନ୍ତରିକ ଅଭାବରୁ ଅନେକ ପରିବାର ସରକାରୀ ସହାୟତାରୁ ବଂଚିତ ହେଉଛନ୍ତି । ଫଳରେ ପରିବାରର ଭାରଣପୋଷଣ ନିମନ୍ତେ ବାର ଦୁଆରେ ଭିକ୍ଷାବୃତି କରିବା ହିଁ ଏକ ମାତ୍ର ସାହା ଭରସା । ଏବଂ ଶିଶୁ ସୁରକ୍ଷା ଯୋଜନାରେ କେହିବି ଯୋଗ୍ୟ ହିତାଧିକାରୀ ବାଦ ପଡିବେ ନାହିଁ । ଏହି ଯୋଜନାରେ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ,ଉତମ ଶିକ୍ଷା ସାଙ୍ଗକୁ ବିଭିନ୍ନ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ହେଲେ ଏହି ସବୁ ଯୋଜନ ଯୋଜନ ଦୂରରେ ରହିଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରୀ ନିର୍ବାଚନ ମଣ୍ଡଳୀ,ଯାଜପୁର ବ୍ଲକ ଝାଲପଡା ପଂଚାୟତ କାକୁଡିକୁଦ ଗ୍ରାମରେ ।
ଏହି ଗ୍ରାମର ଦରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଏହି ଦିବ୍ୟାଙ୍ଗ ପରିବାର କଥା ନ କହିବା ଭଲ । ଏହି ଗ୍ରାମର ସଂଜିତ ମଲ୍ଲିକ(୩୫)ଙ୍କ ପରିବାର । ପରିବାର ବୋଇଲେ ସ୍ତ୍ରୀ, ୨ଝିଅ ଓ ବୃଦ୍ଧା ମା’ବାସନ୍ତୀ(୬୨) । ସଂଜିତ ନିଜେ ମଧ୍ୟ ଦିବ୍ୟାଙ୍ଗ ହୋଇଥିବା ବେଳେ ବଡ ଝିଅ(୧୪) ମାନସିକ ଦିବ୍ୟାଙ୍ଗ ଏବଂ ବୃଦ୍ଧା ମା’ ମଧ୍ୟ ଦୃଷ୍ଟିହୀନ ଦିବ୍ୟାଙ୍ଗ । ୫ ପରିବାର ମଧ୍ୟରୁ ୩ ଜଣ ହେଲେ ଦିବ୍ୟାଙ୍ଗ । ସେମାନଙ୍କୁ ବଡ ଝିଅ ଭତା ବାବଦ୫ଶହ ଓ ମା’ ଭତା ବାବଦ ଟଙ୍କା ସହ ରାସନ ସାମଗ୍ରୀରେ ୨୫ କିଲୋ ଚାଉଳରେ ପରିବାର ଚଳେ । ପରିବାର ପ୍ରତିପୋଷଣ ପାଇଁ ଭିକ୍ଷାବୃତି ହିଁ ଏକମାତ୍ର ସାହାରା । ଯେନେ ତେନ ପ୍ରକାରେଣ ଦୁଃଖ କଷ୍ଟରେ ପରିବାର ଚଳି ଯାଉଥିଲା । କିନ୍ତୁ, ଦଇବ ଦାଉ ସାଧିଲା । ବର୍ଷେ ପୂର୍ବେ ରୋଜଗାରିଆ ଦିବ୍ୟାଙ୍ଗ ସଂଜିତ ଏକ ଦୁର୍ଘଟଣାର ଶିକାର ହୋଇ ଗୋଡ ହରାଇଥିବା ବେଳେ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗି ସେ ଏବେ ପାରାଲେସିସ୍ ରୋଗରେ ଆକ୍ରାନ୍ତ । ଏହି ପରିବାରର ଅଭାବ ସେମାନଙ୍କୁ ଆଗକୁ ନେଇ ନ ପାରିବାରୁ ବୃଦ୍ଧା ମା’ଙ୍କ ସମେତ ତାଙ୍କ ବଡ ଝିଅ ଗାଁ ଗାଁ ବୁଲି ଭିକ୍ଷାବୃତି କରି ଯାହା ଆଣନ୍ତି ତାହା ପରିବାର ଚଳେ । ପରିବାର ଚଳିବା କଷ୍ଟକର ହୋଇପଡିଥିବାରୁ ସଂଜିତଙ୍କ ୨ଝିଅ ବିଦ୍ୟାଳୟରେ ନାମ ଲେଖାଇଥିଲେ ମଧ୍ୟ ପରିବାରର ଏଭଳି ପରିସ୍ଥିତି ସେମାନଙ୍କୁ ବାରଦୁଆରେ ଭିକ୍ଷାବୃତି କରିବାକୁ ବାଧ୍ୟ କରାଇଛି ବୋଲି ବାସନ୍ତୀ ଅତ୍ୟନ୍ତ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସଂଜିତ ବିଦ୍ୟାଙ୍ଗ ହୋଇ ମଧ୍ୟ ତାଙ୍କୁ ପ୍ରମାଣ ପତ୍ର ନ ମିଳିବାରୁ ସେ ଭତା ପାଇବାରୁ ବଂଚିତ ହୋଇଛନ୍ତି । ଏହି ଦିବ୍ୟାଙ୍ଗ ପରିବାର ଛପର ଘରେ ରହୁଥିବା ବେଳେ ସେମାନଙ୍କୁ ଆବାସ ଯୋଜନାରେ ପକ୍କା ଘରଟିଏ ଅଦ୍ୟାବଧି ମିଳି ପାରିନାହିଁ । ପରିବାରର ମୁଣ୍ଡ ଗୁଞ୍ଜିବା ପାଇଁ ସମ୍ପର୍କୀୟ ବିଧବା ଭାଉଜଙ୍କ ଘରେ ପିଲାମାନେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । ଏହି ପରିବାରଙ୍କୁ ଜିଲାପାଳ ତୁରନ୍ତ ଦୃଷ୍ଟି ଦେବା ସହ ଶିଶୁର ଖାଦ୍ୟ ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ୟୁନିଟ୍ ସହଯୋଗର ହାତ ବଢାଇବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।