ବାରିପଦା – ଶିମିଳିିପାଳ ପର୍ବତମାଳା ମାନବ ଜାତିର ମଙ୍ଗଳ ନିମନ୍ତେ ପ୍ରକୃତିର ଏକ ମହାନ ଅବଦାନ । ସୃଷ୍ଟି ପ୍ରାୟ ୧୨୦୦ ନିୟୁତ ବର୍ଷରୁ ଅଧିକ ବୋଲି କୁହାଯାଉଥିବା ସମୟରେ ଐତିହାସିକ ଓ ପ୍ରତ୍ନତତ୍ୱବିତମାନେ ଏହା ଦକ୍ଷିଣ ଭାରତର ପ୍ରସିଦ୍ଧ ଓ ଐତିହାସିକ ଗଣ୍ଡୱାନା ଉପତ୍ୟକାର ଅଂଶବିଶେଷ ବୋଲି ମତ ପୋଷଣ କରିଛନ୍ତି । ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାର ମିଳନ ସ୍ଥଳରେ ଅବସ୍ଥିତ ଏହି ପର୍ବତମାଳାର ବିସ୍ତୀର୍ଣ୍ଣ ଅଂଚଳ ପରିବେଶ ସୁରକ୍ଷା କରିବାରେ ସହାୟକ ହୋଇ ପାରିଛି । ମୟୂରଭଞର ଗର୍ବର ପ୍ରତୀକ ଏହି ପର୍ବତମାଳାଟି ପଶ୍ଚିମ ଭାଗରେ ପଞ୍ଚପୀଢ଼ ଓ ବାମନଘାଟି; ପୂର୍ବରେ ସଦର ମହକୁମା ବାରିପଦା ଓ କପ୍ତିପଦା ଏହିପରି ୪ ଗୋଟି ଉପଖଣ୍ଡରେ ବିଭକ୍ତ କରାଇଛି । ପର୍ବତମାଳାର ଗୁରୁତ୍ୱ ପୂର୍ଣ୍ଣ ଅବସ୍ଥିତି ଯୋଗୁଁ ଅନେକ ଛୋଟ ବଡ଼ ଜଳ ସ୍ରୋତ ସାଙ୍ଗକୁ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, ଖଡ଼କେଇ, ବଙ୍କବଳ, ଦେଓ, ସଞ୍ଜ , ପଳପଳା ଓ ଖଇରିଭଣ୍ଡନ ନାମରେ ନଦୀଗୁଡ଼ିକ ପର୍ବତର ଦୁଇ ପାଶ୍ୱର୍ ଅଂଚଳକୁ ପ୍ରବାହିତ ହୋଇ କୃଷି ନିମନ୍ତେ ଏକ ପ୍ରାକୃତିକ ଜଳ ସ୍ରୋତର ସୁବିଧା ସୃଷ୍ଟି କରିଛି ।
ପ୍ରାୟ ତିନି ହଜାର ବର୍ଗ କିଲୋମିଟରରେ ବିସ୍ତୀର୍ଣ୍ଣ ଶିମିଳିପାଳ ପର୍ବତମାଳାରେ ଥିବା ବନସମ୍ପଦର କ୍ଷୟ ସାଧନ ପ୍ରତ୍ୟେକ ବର୍ଷ ହେବାରେ ଲାଗିଥିଲେ ମଧ୍ୟ ଏହା ଏକ ଅସରନ୍ତି ଭଣ୍ଡାର ଭଳି ମନେ ହେଉଛି । ବିଖ୍ୟାତ ପକ୍ଷୀ ବିଶେଷଜ୍ଞ ଡଃ ସାଲିମାର ବହୁ ଦିନ ପୂର୍ବେ ଶିମିଳିପାଳ ଭ୍ରମଣରେ ଆସି ବିଶ୍ୱରେ ଲୋପ ପାଇ ଯାଇଥିବା କେତେକ ପ୍ରଜାତିର ପକ୍ଷୀକୁ ମେଘାସନୀ ପର୍ବତର ଶୃଙ୍ଗରେ ଦେଖିବାକୁ ପାଇିଥିଲେ । ପକ୍ଷୀ ବିଶେଷଜ୍ଞ ଓ ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କ ମତରେ ଏଠାକୁ ଦେଶ-ବିଦେଶରୁ ମଧ୍ୟ କେତେକ ପ୍ରଜାତିର ପକ୍ଷୀ ଆସିଥାନ୍ତି । ଭୂବନେଶ୍ୱର କୃଷି ମହାବିଦ୍ୟାଳୟର ପୂର୍ବତନ ଡିନ୍ ଡଃ ବି. ଏନ୍. ସାହୁ ଶିମିଳିପାଳ ଉପରେ ଅନୁଧ୍ୟାନ କରି କହିଥିଲେ ହିମାଳୟଠାରୁ କମ୍ ଥଣ୍ଡା ହେଉଥିବାରୁ କେତେକ ପକ୍ଷୀ ଅଣ୍ଡା ଦେବାକୁ ଏଠାକୁ ଆସିଥାନ୍ତି । ଭାରତର ପୂର୍ବତନ ଉଦ୍ଭିଦ ବିଶେଷଜ୍ଞ ଡଃ ଗୋପୀନାଥ ପାଣିଗ୍ରାହୀଙ୍କ ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡେ଼ ଓଡ଼ିଶାରେ ଦେଖାଯାଉଥିବା ପ୍ରାୟ ୩ ହଜାର ପ୍ରକାରର ବୃକ୍ଷ ମଧ୍ୟରୁ ଶିମିଳିପାଳ ପର୍ବତମାଳାରେ ଘଂଚ ନଭଶ୍ଚୁମ୍ଭୀ ଶାଳ, ପିଆଶାଳ, ଚମ୍ପା, ଗମ୍ଭାରୀ, ଶିଶୁ ଆଦି ୧୨ ଶହ ପ୍ରକାରର ବୃକ୍ଷ ରହିଅଛି । ଏଥି ସହିତ ୧୫୦ ପ୍ରକାରର ଔଷଧୀୟ ବୃକ୍ଷ ରହିଥିବାର ଜଣାପଡ଼ିଛି ।
ସେହିପରି ମୃଗ, ସମ୍ବର, ବାରହା, ବଣ ମଇଁଷି, ହାତୀପଲ, ମହାବଳ ଓ କଲରାପତରିଆ ବାଘ, ମିଲନେଷ୍ଟିକ ଟାଇଗାର(କଳାବାଘ), ଭାଲୁ, ବେଲାରୀ ମୂଷା, ଗୟଳ, ବିଲୁଆ, ଗୁରାଣ୍ଡି, ବଳିଆ କୁକୁର ଝିଙ୍କ, ବଜ୍ରକାପ୍ତା ଆଦି ୪୨ ପ୍ରକାରର ସ୍ତନ୍ୟପାୟୀ ପ୍ରାଣୀ ; କଥା କୁହା ଶୁଆ, ଶାରୀ, କୁଚିଲାଖାଇ ଆଦି ମୂଲ୍ୟବାନ୍ ଓ ଦୁର୍ଲଭ ପକ୍ଷୀ , ବଣ କୁକୁଡ଼ା ଓ ମୟୂର ଏହିପରି ୨୪୨ ପ୍ରକାରର ପକ୍ଷୀ , ୩୦ ପ୍ରକାରର ସରୀସୃପ ଏବଂ ବିଶେଷଜ୍ଞ ଶରତ ଚନ୍ଦ୍ର ମିଶ୍ରଙ୍କ ଅନୁସନ୍ଧାନରୁ ଜଣାଯାଏ ବର୍ତମାନ ସୁଦ୍ଧା ଆବିଷ୍କାର ହୋଇଥିବା ୧୨୩ ପ୍ରକାରର ମଦାଙ୍ଗ(ଆର୍କଡ଼ି)ବା ଚିତ୍ରା ମଧ୍ୟରୁ ଶିମିଳିପାଳ ପର୍ବତରେ ୯୪ ପ୍ରକାରର ମଦାଙ୍ଗ ରହିଅଛି । ମହୁ, ଝୁଣା, ଲାଖ, ପାଳୁଅ, ବନୋଷଧୀ, ଛାଲି, ଅଁଳା, ହରିଡ଼ା, ବାହାଡ଼ା, ମହୁଆ, ଶାଳମଞି, ଶାଳ ଓ ଶିଆଳି ପତ୍ର, ଚଉତି, ଟସର ଚାଷ ନିମନ୍ତେ ବିହନ ସହିତ କୋଷ, ମୂଲ୍ୟବାନ କାଠ ଆଦି ଏହି ଜଙ୍ଗଲରୁ ମିଳିଥାଏ । ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରେ ରହିଥିବା ନଦୀମାନଙ୍କରେ ଖଜୁରୀଆ ନାମକ ଏକ ପ୍ରଜାତିର ସ୍ୱାଦିଷ୍ଟ ମାଛ ମଧ୍ୟ ମିଳିଥାଏ ।
ଅଭୟାରଣ୍ୟ ମଧ୍ୟରେ ରହିଥିବା ଅନେକ ଛୋଟବଡ଼ ଜଳପ୍ରପାତଗୁଡ଼ିକ ମଧ୍ୟରୁ ବରେହିପାଣି ଜଳପ୍ରପାତ ବୁଢ଼ାବଳଙ୍ଗ ନଦୀରେ ୨୧୭ ମିଟର ଉଚ୍ଚରୁ ଓ ଜୋରନ୍ଦା ଜଳପ୍ରପାତରୁ ପାଣି ୧୮୧ ମିଟର ଉଚ୍ଚରୁ ସିଧାସଳଖ ଭାବରେ ତଳକୁ ପଡ଼ୁଅଛି । ୧,୧୬୫ ମିଟର ଉଚ୍ଚ ମେଘାସନୀ ପର୍ବତର ଏଠାରେ ଛିଡ଼ା ହୋଇଛି । ଶିମିଳିପାଳ କେବଳ ପରିବେଶର ସୁରକ୍ଷା କରୁଛି ତା ନୁହେଁ ବରଂ ସମାଜ ପାଇଁ ଏକ ବହୁମୁଖୀ ଅବଦାନ । ଏଠାରୁ ନିର୍ଗତ ଜଳସ୍ରୋତ ମୟୂରଭଞ୍ଜ ସମେତ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ପାଇଁ ବରଦାନ । ମୟୂରଭଞ୍ଜ ଓ ବାଲେଶ୍ୱର ସୀମାରେ ପ୍ରବାହିତ ସୁବର୍ଣ୍ଣରେଖା, ଖଡ଼କେଇ, ବୈତରଣୀ, ଶାଳନ୍ଦୀ ଓ ଦେଓ ନଦୀକୁ ଜଳ ଯୋଗାଉଛି । ଶିମିଳିପାଳର ଜଙ୍ଗଲ ସମ୍ପଦ ନଷ୍ଟ ହୋଇଗଲେ ନଦନଦୀର ଜଳ ଉତ୍ସକୁ ମଧ୍ୟ କ୍ଷତି ପହଁଚାଇବ ।
ବଙ୍ଗୋପସାଗର ଉପରଦେଇ ପ୍ରବାହିତ ଉତର-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ହିମାଳୟ କୁହାଯାଉଥିବା ମେଘାସନୀ ସହ ଶିମିଳିପାଳ ପର୍ବତମାଳାରେ ବାଧାପ୍ରାପ୍ତ ହୋଇ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପ୍ରଦେଶ ରାଜ୍ୟର କେତେକ ଅଂଚଳରେ ବୃଷ୍ଟିପାତ କରାଇ ମରୁଡ଼ି ଦାଉରୁ ବଂଚାଇ ଆସୁଛି । ଶିମିଳିପାଳ ପର୍ବତମାଳାରୁ ସଂଗୃହୀତ ଟିମ୍ବର ଦିନେ ଦକ୍ଷିଣ – ପୂର୍ବ ରେଳପଥର ଆବଶ୍ୟକତାକୁ ପୂରଣ କରୁଥିଲା । ଏଠାରେ ବ୍ୟାଘ୍ର ସଂରକ୍ଷଣ ଯୋଜନା, କୁମ୍ଭୀର ପ୍ରଜଜନ କେନ୍ଦ୍ର ଓ ଶିମିଳିପାଳ ଉନ୍ନୟନ ସଂସ୍ଥା ଅଧୀନରେ କେତେଗୁଡ଼ିଏ ସ୍ଥାୟୀ ବଙ୍ଗଳା ରହିଅଛି ।
ଓଡ଼ିଶା ସମେତ ସାହାରା ଓ ଥର ମରୁଭୂମି ଗୋଟିଏ ଅକ୍ଷାଂଶରେ ଅବସ୍ଥିତ । ତେଣୁ ଶିମିଳିପାଳର ଅବସ୍ଥିତି ପାଇଁ ଓଡ଼ିଶା ମରୁଭୂମି ହେବାରୁ ରକ୍ଷା ପାଇଯାଇଛି । ୧୯୭୮-୭୯ ମସିହାରେ ପର୍ବତମାଳାର ୨୭୦୦ ବର୍ଗ କି.ମି. ଅଂଚଳ ଶିମିଳିପାଳ ବନ ଉନ୍ନୟନ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇ ଏଥିରୁ କେବଳ ଟିମ୍ବର ସଂଗ୍ରହ କରାଯିବାର ବ୍ୟବସ୍ଥା ହୋଇଥିଲା । ଯେଉଁ ଢ଼ଙ୍ଗରେ ଗଛ କଟା ଆରମ୍ଭ ହୋଇଥିଲା ତାହା ଚାଲୁ ରହିଥିଲେ ଶିମିଳିପାଳ ଉନ୍ନୟନ ନାମରେ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ସାରିଥାନ୍ତା । ବର୍ତମାନ ମଧ୍ୟ ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ବ୍ୟବସାୟୀ ବହୁ ପରିମାଣରେ କାଠ ଚୋରା ଚାଲାଣ କରୁଛନ୍ତି । ବନ୍ୟ ଜନ୍ତୁମାନଙ୍କ ଦାନ୍ତ, ଚମଡ଼ା, ଶିଙ୍ଗ, ମାଂସ, ସାପ, ଚଢେଇ, ବାଘୁଆ ବୁଢ଼ିଆଣି, ପୋହଳା ଏଣ୍ଡୁଅ ଆଦି ଚୋରା ଚାଲାଣ ହେଉଛି । ଜଙ୍ଗଲରେ ବଳିଆ କୁକୁର, କଥାକୁହା ଶାରୀ ବଂଶ ବିଲୁପ୍ତ ହୋଇ ସାରିଥିବାର କୁହାଯାଉଛି । ସେହି ପରି ବାଘ ସଂଖ୍ୟାକୁ ନେଇ କନେ୍ଦ୍ର ଓ ରାକ୍ୟ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଛି । ଶିମିଳିପାଳର ସୁରକ୍ଷା ଜଙ୍ଗଲ ବିଭାଗ, ବ୍ୟାଘ୍ର ସଂରକ୍ଷଣ ବିଭାଗ ଓ ନିଗମ ଏହିପରି ୩ ବିଭାଗ ଅଧୀନରେ ରହିଥିବାରୁ ଜଙ୍ଗଲ କ୍ଷୟ ଓ ଚୋରା ଚାଲାଣକୁ ପ୍ରୋସôାହନ ମିଳୁଥିବା ଅଭିଯୋଗ ହେଉଛି ।
ଓଡ଼ିଶାର ସମସ୍ତ କଂଗ୍ରେସ ଓ ଅଣକଂଗ୍ରେସ ସରକାର ଏହି ଐତିହାସିକ ପର୍ବତମାଳାର ଗୁରୁତ୍ୱକୁ ଅନୁଭବ କରିନାହାନ୍ତି । ବହୁ ଦିନ ଧରି ଶିମିଳିପାଳ ଉପରେ ଅତ୍ୟାଚାର ଚଳାଇ ଆସୁଥିଲେ ମଧ୍ୟ ଏହାର ଐଶ୍ୱରୀକ ଦାନ ପ୍ରାକୃତିକ ସମ୍ପଦକୁ ପ୍ରକୃତି ଧ୍ୱଂସକାରୀ ରାକ୍ଷସମାନଙ୍କ କବଳରୁ ରକ୍ଷା କରି ମାନବ ଜାତିର କଲ୍ୟାଣ ନିମନ୍ତେ ସାଇତି ରଖିଛି । ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବାରିପଦା ବିଧାୟକ ସ୍ୱର୍ଗତ ପ୍ରସନ୍ନ ଦାଶ ସୁରକ୍ଷା ନିମନ୍ତେ ବାରମ୍ବାର ଦାବି ଉପସ୍ଥାପନ ଫଳରେ ୧୯୯୪ ଜୁନ ୨୨ରେ ମିଳିତ ଜାତି ସଂଘର ପରିବେଶ ସୁରକ୍ଷା ବିଭାଗ ଶିମିଳିପାଳକୁ ଜୈବମଣ୍ଡଳ ଘୋଷଣା କରିଥିଲା । ପରେ ଶିମିଳିପାଳର ସୁରକ୍ଷା କ୍ଷେତ୍ରରେ କେତେକ ପରିବର୍ତନ ଆସିଥିବା ବେଳେ ପ୍ରାକୃତିକ ସମ୍ପଦ ସହିତ ଓ ବନ୍ୟ ପ୍ରାଣୀମାନଙ୍କ ପ୍ରତି ଘୋର ବିପତି ମାଡ଼ି ଆସିଛି । ଏଥି ସହ ଆନ୍ଥ୍ର୍ରାକ୍ସ ଭଳି ମାରାତ୍ମକ ଭୁତାଣୁରେ ଆକ୍ରାନ୍ତ ହୋଇ କେତେକ ହାତୀର ମୃତୁ୍ୟ ହୋଇଥିବାର କୁହାଯାଇଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବାଘର ସଂଖ୍ୟାକୁ ନେଇ ଏବେ ବିବାଦ ଦେଖାଦେଇଥିବା ବେଳେ ଅଭୟାରଣ୍ୟ ମଧ୍ୟରେ ଶିକାରୀ ଓ କାଠ ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି କାରଣରୁ ଜୀବଜନ୍ତୁ ଓ ମୂଲ୍ୟବାନ ବୃକ୍ଷ ସଂଖ୍ୟାରେ ଦୃତ ଅବକ୍ଷୟ ଦେଖା ଦେଇଛି ।
ଜୀବଜନ୍ତୁ ତଥା ମଣିଷର ଆବଶ୍ୟକତା ପୂରଣ ପାଇଁ ପୃଥିବୀ ଯଥେଷ୍ଟ ସମ୍ପଦ ସାଇତି ରଖିଛି କିନ୍ତୁ ଲୋଭ ପୂରଣ କରିବା ନିମନ୍ତେ ନୁହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଷ୍ଟକହୋମଠାରେ ଆନ୍ତର୍ଜାତିକ ସମ୍ମିଳନୀରେ କହିଥିଲେ, ମଣିଷ ଯଦି ପ୍ରକୃତ ମଣିଷ ହେବାକୁ ଚାହେଁ, ତେବେ ସେ ନିଜର ଭାଇ, ବନ୍ଧୁ ତଥା ମିତ୍ରମାନଙ୍କୁ ଯେଉଁ ଆଖିରେ ଦେଖେ ସମସ୍ତ ପ୍ରକୃତି ତଥା ବୃକ୍ଷଲତା ଓ ପରିବେଶକୁ ମଣିଷ ନିଜର ଭାଇ, ବନ୍ଧୁ ଓ କୁଟୁମ୍ବ ଭଳି ଦେଖିବା ଉଚିତ୍ । ମଣିଷ ବା ଆମେ ଯେଉଁ ପ୍ରକୃତିର କୋଳରେ ଜନ୍ମ ନେଇ ବଂଚି ରହିଛୁ, ଖେଳିଛୁ ଓ ବଢ଼ିଛୁ ସେହି ପରିବେଶ ହିଁ ଆମର ସବୁଠାରୁ ବଡ଼ ମିତ୍ର । ସୃଷ୍ଟି ଭଗବାନଙ୍କର । ପରିବେଶ ସୁରକ୍ଷିତ ରହିଲେ ସୃଷ୍ଟି ସୁରକ୍ଷିତ ରହିବ । ମଣିଷ ଯଦି ପ୍ରକୃତିକୁ ମିତ୍ର ରୂପରେ ଗ୍ରହଣ କରିପାରିବ ତେବେ ଅନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ନିଜର ମିତ୍ର ଭାବରେ ଗ୍ରହଣ କରିବ । ଏହାହିଁ ଭଗବାନଙ୍କର ଇଚ୍ଛା ।