
ଭଦ୍ରକ -ନିତ୍ୟ ବ୍ୟବହାର୍ଯ୍ୟ ପିିଆଜର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଚିନ୍ତାଗ୍ରସ୍ତ କରିଛି । ଏକ ସପ୍ତାହରୁ ଉର୍ଦ୍ଧ ସମୟ ଧରି ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ପିଆଜରୁ ମୁହଁ ଫେରାଇବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ଏବେ ଖାଇବା ଥାଳିରୁ ପିଆଜ ଉଭାନ ହୋଇଯାଇଛି । ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ପିଆଜର କିଲୋ ପ୍ରତି ଦର ୩୦ଟଙ୍କା ରହିଥିଲା । ଦ୍ୱିତୀୟ ସପ୍ତାହ ଶେଷକୁ ଏହାର ଦରବୃଦ୍ଧି ଘଟି କିଲୋ ପ୍ରତି ୪୦ଟଙ୍କା ଛୁଇଁଥିବା ବେଳେ ଗତ ୪ ଦିନ ହେଲା ସ୍ଥିତି ଅଧିକ ସଂଗୀନ ହୋଇଛି । ଏବେ ପିଆଜର କିଲୋ ପ୍ରତି ମୂଲ୍ୟ ସାଧାରଣ ବଜାରରେ ୬୦ ଟପିଛି । ପିଆଜ ଆମଦାନୀ ହାସ ପାଇଥିବାରୁ ଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା କୁହାଯାଇଥିବା ବେଳେ ଯେଉଁ ବଡ଼ ବ୍ୟବସାୟୀ ମାନେ ଅଧିକ ପରିମାଣରେ ପିଆଜ ଗଚ୍ଛିତ ରଖିଛନ୍ତି ସେମାନେ ଏହାର ବେଶ ଫାଇଦା ନେଉଥିବା ଜଣାଯାଇଛି । କିଲୋ ଦର ୬୦ ଧରିଥିବାରୁ ଗ୍ରାମାଞ୍ଚଳର ଅନେକ ଦୋକାନୀ ପିଆଜ ବିକି୍ର ବନ୍ଦ କରିଦେଇଥିବା ଦେଖାଯାଇଛି । ଅନ୍ୟ ପକ୍ଷରେ ଅପେକ୍ଷାକୃତ ବଡ଼ ଦୋକାନୀ ମଧ୍ୟ ବସ୍ତା ପ୍ରତି ନିକୃଷ୍ଟ ଓ ପଚା ମାନର ପିଆଜ ଆସୁଥିବା କହି ସେମାନେ ସ୍ୱଳ୍ପ ପରିମାଣର ପିଆଜ ବିକ୍ରି କରୁଛନ୍ତି । ଦୈନଦିନ ଜୀବନରେ ପିଆଜର ବହୂଳ ବ୍ୟବହାର ହେଉଥିବା ବେଳେ ଏଭଳି ଅଭାବନୀୟ ଏବଂ ତଥା ଅହୈତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ଚଳନୀକୁ ପ୍ରଭାବିତ କରିଛି । ସାଧାରଣତଃ ଏହି ସମୟରେ ପିଆଜର ମୂଲ୍ୟ ୨୦ ରୁ ୨୨ ଟଙ୍କା ମଧ୍ୟରେ ରହିଥାଏ । ସ୍ୱଚ୍ଛଳ, ମଧ୍ୟବିତ କିମ୍ବା ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକେ ପିଆଜ ପାଇଁ ପଛଘୁଂଚଂ ଦେଉନଥିବା ବେଳେ ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି । ଥିଲା ବାଲା କି ନଥିଲା ବାଲା ସବୁ ଶ୍ରେଣୀର ପରିବାରକୁ କିନ୍ତୁ ଆଜିର ବଜାର ଦର ବେଶ ବାଧୁଛି । ଯେଉଁ ମାନେ କିଲେ ଦୁଇ କିଲୋ ପିଆଜ ଆଣୁଥିଲେ ସେମାନେ ଏବେ ନିହାତି ଆବଶ୍ୟକତା ଦୃଷ୍ଟିରୁ ରୋଷେଇ ପାଇଁ ଅଢେଇଶହ /ପାଂଚଶହ ଗ୍ରାମ କିଣୁଛନ୍ତି । ଏହି ଦରବୃଦ୍ଧି ବେଶି ପ୍ରଭାବିତ କରିଛି ଗରିବ ପରିବାରକୁ । ନିମ୍ନ ଶ୍ରେଣୀର ପରିବାର ସବୁ ବେଳେ ପିଆଜକୁ ଭରଷା କରୁଥିବା ବେଳେ ତାହା ଏବର ବଜାର ଦର କରାଇ ଦେଉନାହିଁ । ଧାମନଗର ବ୍ଳକର ବଡ଼ ମାର୍କେଟ କୁହାଯାଉଥିବା ଧାମନଗର, ଧୂଷୁରୀ, ଦୋବଲ, ଅସୁରାଳି, ସହିଦନଗର, ବେତାଳିଗାଁ, କୋଠାର, ନଦୀଗାଁ, ଚୁଡ଼ାକୁଟୀ, ଗୋବିନ୍ଦପୁର ପ୍ରଭୃତି ସ୍ଥାନରେ ଗୁରୁବାର ପାଇକାରୀ ଭାବେ କିଲୋ ୫୦ ରୁ ୫୫ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ୬୦ରୁ ୭୦ଟଙ୍କା ମଧ୍ୟରେ ପିଆଜ ବିକ୍ରି ହେଉଥିବା ଜଣାଯାଇଛି । ଯୋଗାଣ ବିଭାଗ ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ସାଧାରଣରେ ଦାବି କରାଯାଇଛି ।