
ଗଂଜାମ – ଗତ ପିତଳ ଗ୍ରାମ ପଂଚାୟତ ନିର୍ବାଚନରେ ରଂଗବତୀ ବେହେରା ସରପଂଚ ରୂପେ ନିର୍ବାଚିତ ହୋଇଥିଲେ । ସେ କିନ୍ତୁ ଲେଖି ପଢ଼ି ଜାଣନ୍ତି ନାହିଁ ବୋଲି ତାଙ୍କର ପ୍ରତିଦ୍ୱନ୍ଦି ରୁକ୍ମିଣୀ ବେହେରା କୋର୍ଟରେ ମୋକଦ୍ଦମା ଦାୟର କରିବା ଫଳରେ ଗତକାଲି ପିତଳ ପଂଚାୟତରେ ହାଇକୋର୍ଟର ନିର୍ଦ୍ଦେଶ ପ୍ରକାରେ ଏକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଓ ଶେରଗଡ଼ ବ୍ଲକ ବିଡ଼ିଓଙ୍କ ତରଫରୁ କନିଷ୍ଠ ଦେୱାନି ଅଦାଲତ ଏଡିପି ଆଡ଼ଭୋକେଟ ବିଜୟ ପଟ୍ଟନାୟକ, କମିଶନର ରୂପେ ଆଡ଼ଭୋକେଟ ରଘୁ ପଶୁପାଳକ ପରାଜିତ ପ୍ରାର୍ଥିନୀଙ୍କ ପକ୍ଷରୁ ଆଡ଼ଭୋକେଟ ଟି. ରବୀନ୍ଦ୍ର କୁମାର ପାତ୍ର ବିଜୟୀ ସରପଂଚ ରଂଗବତୀ ବେହେରାଙ୍କ ପକ୍ଷରୁ ରାଜେନ୍ଦ୍ର କୁମାର ପାତ୍ର ଏବଂ ପରାଜିତ ପାର୍ôଥନୀ ରୁକ୍ମିଣୀ ବେହେରା ଉପସ୍ଥିତ ଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣ ଦର୍ଶାଇ ରଂଗବତୀ ବେହେରା ଅନୁପସ୍ଥିତ ଥିଲେ । ତେଣୁ ଆଜି ପୁଣି ଏହି ଅଦାଲତ ସାଖ୍ୟ ପ୍ରମାଣ ପାଇଁ ରଙ୍ଗବତୀ ବେହେରାଙ୍କ ବାସଭବନକୁ ଯାଇଥିଲେ । କିନ୍ତୁ ଅସୁସ୍ଥତା ଯୋଗୁଁ ସେ ଡାକ୍ତରଖାନା ଯାଇଥିବାରୁ ଏହାର ସାକ୍ଷ୍ୟ ପ୍ରମାଣ ଗହଣ କରାଯାଇ ପାରିନଥିବା ଜଣାପଡ଼ିଛି ଏବଂ ଏ ବିଷୟରେ ନିଯୁକ୍ତି ପାଇଥିବା କମିଶନର ଉପରିସ୍ଥ ଅଦାଲତକୁ ଅବଗତ କରାଇଥିବା ଜଣାପଡ଼ିଛି ।