Related Stories
November 22, 2024
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ମୁଖ୍ୟକିରାଣୀ ଉପେନ୍ଦ୍ର ମାଝୀ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ କୋଭିଡ୍ ହସ୍ପିଟାଲରେ ମୃତ୍ୟୁସହ ସଂଗ୍ରାମକରି ଶେଷରେ ମଙ୍ଗଳବାର ରାତ୍ର ୨ଟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁଖବର ପାଇବାପରେ ବିଏମ୍ସିରେ ଶୋକରଛାୟା ଖେଳିଯାଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କର ଏହି ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ସୂଚନାଥାଉକି, ମୃତ ଶ୍ରୀ ମାଝୀ ବ୍ରହ୍ମପୁର ମହାନଗର ନିଗମରେ ଦୀର୍ଘ ୭ବର୍ଷଧରି ମୁଖ୍ୟକିରାଣୀ(ହେଡ୍ ଆସିଷ୍ଟାଣ୍ଡ) ଭାବେ ନିରବଚ୍ଛିିନ୍ନ ଭାବେ କାର୍ଯ୍ୟକରି ଅଧିକାରୀଙ୍କ ଠାରୁ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ । ନିଜ କାର୍ଯ୍ୟରେ କେବେ ଅବହେଳା ନକରି ମହାନଗର ନିଗମ ଅଞ୍ଚଳର ସମସ୍ତ କାର୍ଯ୍ୟରେ ସେ ସାମିଲ୍ ହେଉଥିଲେ । ଗତ ୪ଦିନତଳେ ସେ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ଶ୍ରୀ ମାଝୀ ମୃତ୍ୟୁବରଣ କରିଥିଲେ । ମାଝୀଙ୍କ ମୃତ୍ୟୁବରଣପରେ ମହାନଗର ନିଗମ କାର୍ଯ୍ୟାଳୟର କମିଶନର, ଡେପୁଟି କମିଶନର, ଏଷ୍ଟାବିଲ୍ସମେଣ୍ଟ, ହେଲ୍ଥ, ଏନ୍ୟୁଏଚ୍ଏମ୍, ଏମ୍ଆଇସି, ଏକାଉଣ୍ଟ ବିଭାଗ ଛାଡିଦେଲେ ଆଉ ସମସ୍ତ ବିଭାଗକୁ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରାଯାଇଥିବା ଜଣାପଡିଛି । ବର୍ତ୍ତମାନ ନିଗମ କାର୍ଯ୍ୟାଳୟରେ କାର୍ଯ୍ୟରତ ୭ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ନିଗମର ୭ଜଣ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।