![](https://indokalingtimes.com/wp-content/uploads/2019/09/IMG-20190928-WA0066.jpg)
ଭୁବନେଶ୍ବର: କାର୍ଯ୍ୟ କ୍ଷେତ୍ରରେ ସଂରକ୍ଷା ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ କର୍ମଚାରୀମାନଙ୍କ ପାଇଁ ଏକମାସ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ I
ଏହି ସମୟରେ କର୍ମଚାରୀମାନଙ୍କ ଅଧିକ ସତର୍କତା ଅବଲମ୍ବନ କରିବାକୁ ରେଳମଣ୍ଡଳ ଗୁଡିକୁ ନିର୍ଦେଶ I
ଦେଶର ବିକାଶ ରେ ଭାରତୀୟ ରେଳବାଇର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ଦେଶର ଜୀବନ ରେଖା ମଧ୍ୟ କୁହାଯାଉଅଛି I ଭାରତୀୟ ରେଳବାଇ ପାଇଁ ବର୍ତ୍ତମାନ ଉଭୟ ଟ୍ରେନ ଓ ଯାତ୍ରୀମାନଙ୍କର ସଂରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ I ଏଥିପାଇଁ ଭାରତୀୟ ରେଳବାଇର କାର୍ଯ୍ୟବଳ କ୍ରମାଗତ ଭାବେ ସର୍ବଦା ସେମାନଙ୍କର କର୍ତ୍ତବ୍ୟପ୍ରତି ସଜାଗ ରହି ନିରାପଦ ଯାତ୍ରା ପାଇଁ ସେମାନଙ୍କୁ ଉତ୍ସର୍ଗ କରିଛନ୍ତି I
ସଂରକ୍ଷା ସମ୍ବନ୍ଧୀୟ ଅଧିନିକୀକରଣ କାର୍ଯ୍ୟ ଯଥା ଟ୍ରାକ ନବୀକରଣ; ରେଳଧାରଣା ଠାରେ ଉପମାର୍ଗ, ରେଳଧାରଣା ଉପରେ ଏବଂ ତଳେ ବ୍ରିଜ ନିର୍ମାଣ କରିବା; ଷ୍ଟେସନ ମାନଙ୍କରେ ଫୁଟ ଓଭର ବ୍ରିଜ ନିର୍ମାଣ; ଆଧୁନିକ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା; ରେଳଧାରଣାରେ ଇଣ୍ଟରଲକିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଉଥିବା ଯୋଗୁଁ ଦୁର୍ଘଟଣା କମୁଥିବା ସହ ସଂରକ୍ଷାର ମାନ ମଧ୍ୟ ବୃଦ୍ଧି ଘଟିଛି I ରେଳବାଇ କର୍ମଚାରୀମାନଙ୍କର କଠିନ ପରିଶ୍ରମ ଓ କାର୍ଯ୍ୟକାରିତାର ମାନସିକତା ଯୋଗୁଁ ଏହା ସମ୍ଭବ ହୋଇପାରିଛି I ଏଣୁ କର୍ମ କ୍ଷେତ୍ରରେ କର୍ମଚାରୀ ମାନଙ୍କୁ ଦୁର୍ଘଟଣାକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ଏହାର କର୍ମଚାରୀ ମାନଙ୍କୁ ସତର୍କତା କରାଇବା ସହିତ ସଂରକ୍ଷା ନିୟମକୁ କଡ଼ାକଡ଼ିଭାବେ ପାଳନ କରିବା ପ୍ରତି ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି I ଏହା ସହିତ ରେଳବାଇ କାର୍ଯ୍ୟ ସ୍ଥଳରେ ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଅଛି I
କାର୍ଯ୍ୟସ୍ଥଳରେ କର୍ତ୍ତବ୍ୟ ପାଳନ ପାଇଁ ଛୋଟଛୋଟ ଅସାବଧାନତା ପାଇଁ ରେଳବାଇ କର୍ମଚାରୀମାନଙ୍କର ମୃତ୍ୟୁଘଟିବା ରେଳବାଇ ନଜରକୁ ଆସୁଛି I ତେଣୁ ପୂର୍ବତଟ ରେଳପଥ କର୍ମକ୍ଷେତ୍ରରେ ଏହାର କର୍ମଚାରୀଙ୍କ ଏପରି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ଘଟଣାଭାବେ ଗ୍ରହଣ କରି କିପରି ସେମାନଙ୍କର ମୂଲ୍ୟବାନ ଜୀବନକୁ ସୁରକ୍ଷା ଦିଆଯାଇପାରିବ ସେଥିପ୍ରତି ବିଶେଷ ଧ୍ୟାନ ଦେଉଛି I ରେଳ ଟ୍ରାକରେ କାର୍ଯ୍ୟକରୁଥିବା କର୍ମଚାରୀ, ମରାମତି ବିଭାଗ, ଟ୍ରେନ ଇଞ୍ଜିନ କିମ୍ବା ବଗିକୁ ସାଣ୍ଟିଙ୍ଗ କରିବା ସମୟରେ ଅଥବା ଅନ୍ୟ ସଂରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ସମୟରେ କର୍ମଚାରୀ ମାନେ ସେମାନଙ୍କର ନିଜର ସୁରକ୍ଷାକୁ ଦ୍ବିଗୁଣିତ କରିବାକୁ ପରାମର୍ଶ ଦିଆଯାଇଅଛି I
କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସୁରକ୍ଷା ପ୍ରତି ସଚେତନତା କରାଇବାପାଇଁ ଏବେ ପୂର୍ବତଟ ରେଳପଥ ପକ୍ଷରୁ ସଚେତନ ମାଧ୍ୟମରେ କର୍ମଚାରୀମାନଙ୍କ ଅବଗତ ପାଇଁ ବିଶେଷ ପଦକ୍ଷେପ ନିଆଯାଉଅଛି I କର୍ମଚାରୀ ମାନଙ୍କର ବ୍ୟକ୍ତିଗତ ସଂରକ୍ଷା ପାଇଁ ରେଳପଥ ସେପ୍ଟେମ୍ବର ମାସ ୨୫ ତାରିଖ ଠାରୁ ଅକ୍ଟୋବର ମାସ ୨୪ ତାରିଖ ପର୍ଯ୍ୟନ୍ତ ମାସେ ବ୍ୟାପି କର୍ମଚାରୀ ବ୍ୟକ୍ତିଗତ ସଂରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି I
ଏହି ସଚେତନତା କାର୍ଯ୍ୟକ୍ରମ ସମୟରେ ପୂର୍ବତଟ ରେଳପଥ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସଂରକ୍ଷା ପ୍ରତି ଏହାର ଟ୍ରେନ ପରିଚାଳନା ବିଭାଗ, ସାଙ୍କେତିକ ଓ ଟେଲି ଯୋଗାଯୋଗ ବିଭାଗ, ସିଭିଲ ଇଂଜିନିୟରିଂ ବିଭାଗ, ମେକାନିକାଲ ବିଭାଗ, ଇଲେକ୍ଟ୍ରିକାଲ ବିଭାଗ ସହିତ ଲୋକୋ ସେଡ କର୍ମଚାରୀ ମାନଙ୍କୁ ଆଦେଶନାମା ଜାରିକରିଛି I ସେଗୁଡିକ ହେଲା ଟ୍ରେନ ସଂରକ୍ଷା ସମ୍ବନ୍ଧୀୟ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରକୁ ଆସିବା ପୂର୍ବରୁ ଭଲଭାବେ ବିଶ୍ରାମ ନେବା ଦରକାର, ସଂକେତ ଆଦାନ ପ୍ରଦାନ ସମୟରେ ଗତିଶୀଳ ଟ୍ରେନ ଠାରୁ ସଠିକ ବ୍ୟବଧାନ ରଖିବା ସହିତ ଟ୍ରେନ ଇଞ୍ଜିନ ଓ ବଗିକୁ ଯୋଡିବା ସମୟରେ ସଠିକ ଦୂରତ୍ୱ ଅବଲମ୍ବନ କରିବା ଏବଂ ସଂରକ୍ଷା ନିୟମକୁ କଡାକଡି ପାଳନ କରିବା, ସଂକେତ ଆଦାନ ପ୍ରଦାନ ସମୟରେ ଟ୍ରାକ ଉପରେ ଛିଡା ନହେବା, ଆଇସୋଲେଟର କାର୍ଯ୍ୟକାରୀ କରିବା ସମୟରେ ଜୋତା ସହିତ ଗ୍ଲୋବ ପରିଧାନ କରିବା, ସିଗ୍ନାଲ ବକ୍ସପାଖକୁ ଯିବାବେଳେ ରାତିରେ ଟର୍ଚ୍ଚ ଲାଇଟ ସାଥିରେ ନେବା, ସିଗ୍ନାଲ ବକ୍ସପାଖରୁ ବୁଦା, ଘାସ ଇତ୍ୟାଦିର ପ୍ରତିବନ୍ଧକୁ ଦୂରକରିବା, ସାପକାମୁଡାରୁ ରକ୍ଷା ପାଇବାପାଇଁ ରେଳଧାରଣାରୁ ଛୋଟ ଛୋଟ ଅନାବନା ଘାସ ସଫା କରିବା ଇତ୍ୟାଦି I ଏହା ସହିତ ଖସଡ଼ା ସ୍ଥାନ, ଲୁବ୍ରିକଣ୍ଟ ଓ ତୈଳଜାତୀୟ ପଦାର୍ଥ ପଡିଥିବା ସ୍ଥାନ ମାନଙ୍କ ପ୍ରତି ବିଶେଷ ଧ୍ୟାନଦେବାକୁ ମଧ୍ୟ କୁହାଯାଇଅଛି ଯାହା ଦ୍ୱାରା କାର୍ଯ୍ୟ ସମୟରେ ଯେପରି ଗୋଡ ଖସିଯାଇ ଯେପରି ଦୁର୍ଘଟଣା ନହେବ I