-
ଜିଲ୍ଳାରେ ପଜିଟିଭ ସଂଖ୍ୟା ୬୮୦ ଛୁଇଁଲା, ଆଜି ସୁସ୍ଥ ହେଲେ ୩୨
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କରୋନା ପୁଣି ବିସ୍ପୋରକ ରୂପ ନେବାରେ ଲାଗିଛି । ଜିଲ୍ଳାର ଗୋଟିଏ ପରେ ଗୋଟିଏ ଇଲାକାକୁ ମାଡ଼ି ଚାଲିଛି । ସଂକ୍ରମଣକୁ ରୋକିବା ଲାଗି ରାତି ପାହିଲା ବେଳକୁ ପ୍ରଶାସନ ଗୋଟିଏ ପରେ ଗୋଟିଏ ଇଲକା ସିଲ କରିବା ସହ ନିଷିଦ୍ଧାଂଚଳ ଘୋଷଣା କରୁଛି । ଏସ୍ଥିତିକୁ ଦେଖିଲେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଉପୁଜିଛି । ଜିଲ୍ଳାର କରୋନା ଯୋଦ୍ଧାମାନେ ବି ଏହି ମହାମାରୀ କବଳରୁ ବାଦ ପଡ଼ି ନାହାନ୍ତି । ଛତ୍ରପୁର ଥାନା ଅଧିକାରୀ, ଛତ୍ରପୁର ଏସ୍ଡ଼ିପିଓଙ୍କ ସମେତ ଜିଲ୍ଲାରେ ୧୧ କରୋନା ଯୋଦ୍ଧା ଆଜି ସଂକ୍ରମିତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ମାର୍ଚ୍ଚ ୧୦ତାରିଖରୁ କରୋନାକୁ ନେଇ କଟକଣା ଲାଗିଛି । ଜିଲ୍ଲା ପ୍ରଶାସନର ଆଶୁ ପଦକ୍ଷେପ ଯୋଗୁ କରୋନା ନିୟନ୍ତ୍ରଣରେ ରହିଥିଲା । ଏପ୍ରିଲ ୨୮ରେ ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କ ଘର ବାହୁଡ଼ା ପରେ ମେ ୨ତାରିଖରେ ଜିଲ୍ଳାରେ କରୋନା ଖାତା ଖୋଲିଥିଲା । ପ୍ରଥମ ଦିନରେ ୨ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପର ଠାରୁ କରୋନା ବିସ୍ତାର କରିବାରେ ଲାଗିଛି । ଗତକାଲି ସୁଦ୍ଧା ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୫୮ ରହିଥିଲା । ଗତକାଲି ଠାରୁ ଆଜି ଅପରାହ୍ଣ ୨ଟା ସୁଦ୍ଧା ଜିଲ୍ଲାରେ ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥବା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ୨୨ଜଣଙ୍କ ମଧ୍ୟରେ ୧୧ଜଣ କରୋନା ଯୋଦ୍ଧା ରହିଛନ୍ତି । କରୋନା ଯୋଦ୍ଧାଙ୍କ ମଧ୍ୟରେ ଛତ୍ରପୁର ଥାନା ଅଧିକାରୀ ଓ ଛତ୍ରପୁର ଏସ୍ଡ଼ିପିଓ ରହିଛନ୍ତି । ବାକି ୧୧ କରୋନା ସଂକ୍ରମିତି ମଧ୍ୟରେ ବୁଗୁଡ଼ା ଅଂଚଳରେ ସଙ୍ଗରୋଧରେ ଥିବା ଜଣେ ସୁରତ ଫେରନ୍ତା ଓ ପାତ୍ରପୁର ଅଂଚଳରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ପଜିଟିଭଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ୯ଜଣ ହେଲେ ଛତ୍ରପୁରର ୪ଜଣ, ପାତ୍ରପୁରର ୨ଜଣ, ଚିକିଟିର ଜଣେ, ଭଞ୍ଜନଗରର ଜଣେ ଓ ଆସିକାର ଜଣେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଜିଲ୍ଳାରେ ନୂତନ ୨୨ ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୮୦ରେ ପହଁଚିଛି । ଅନ୍ୟପକ୍ଷରେ ଜିଲ୍ଲାର କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାର ୫୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୫ଜଣଙ୍କ ଜୀବନ ଯାଇଛି । ଏବେ ଜିଲ୍ଳାରେ ୯୮ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
ପୁଲିସ ଅଧିକାରୀ ଦ୍ୱୟ କରୋନା ସଂକ୍ରମିତ ହେବା ସଂକ୍ରାନ୍ତରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ କହିଛନ୍ତି ଯେ, ଉକ୍ତ ଦୁଇ ଅଧିକାରୀଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହାର କଂଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି । ଉକ୍ତ ଅଧିକାରୀ ଦ୍ୱୟ ସଂସ୍ପର୍ଶରେ ଆସିଥିବା ପୁଲିସ କର୍ମଚାରୀଙ୍କ ଉପରେ ନଜର ରଖିଛୁ । ସେମାନଙ୍କୁ ସାମଜିକ ଦୂରତ୍ୱ ଅବଲମ୍ବନ କରି ଚଳିବାକୁ କୁହାଯାଇଛି ।