
ଇସଲାମାବାଦ – ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିଦେଶରେ ମୁହଁ ଖୋଲିବା ପାକିସ୍ତାନ ପାଇଁ ବିପଦ ହୋଇଥିବାରୁ ତାଙ୍କର ଭାଷଣ ଓ ସାମ୍ବାଦିକ ସମ୍ମିଳନୀ ଉପରେ କଟକଣା ଲଗାଯିବାକୁ ପାକିସ୍ତାର ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି ।
ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁସାରେ ପାକିସ୍ତାନର ବିରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି କହିଛି ଯେ ଇମରାନ ଖାନ ବିଦେଶରେ ପାକିସ୍ତାନ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି । ତେଣୁ ତାଙ୍କର ଭାଷଣ ଓ ପ୍ରେସ କନଫ୍ରେନ୍ସ ଉପରେ ପ୍ରତିବନ୍ଧକ ଲଗାଯିବାର ଆବଶ୍ୟକତା ରହିଛି । ଇମରାନ ଖାନ ଯେତେବେଳେ ବିଦେଶ ଯାଇ କିଛି କହନ୍ତି ସେତେବେଳେ ପାକିସ୍ତାନର ଲାଭ ହେବା ପରିବର୍ତେ କ୍ଷତି ହୁଏ ।
ପାକିସ୍ତାନ ପିପୁଲ୍ସ ପାର୍ଟିର ସାଂସଦ ମୁସ୍ତାଫା ନୱାଜ ଖୋଖର ଇମରାନ ଖାନଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ଯେ ଇମରାନ ଖାନ ବାହାର ଦେଶରେ ପାକିସ୍ତାନର ପକ୍ଷ ରଖିବା ବଦଳରେ ନିଜ ଦେଶ ବିରୁଦ୍ଧରେ ହିଁ କହୁଛନ୍ତି ଓ ସେହି କାରଣରୁ ଭାରତର ମିଡିଆରେ ପାକିସ୍ତାନର ସ୍ଥିତି ହାସ୍ୟାସ୍ପଦ ହୋଇଯାଇଛି ।