ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତା ମନୋରଞ୍ଜନ ମେହେରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି ।
ଗତକାଲି ରାତି ୮ଟା ସମୟରେ ଏହି ଘଟଣା ଘଟିଥିବା ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।
ପ୍ରାପ୍ତ ସୂଚନା ଅନୁସାରେ, ବିଜେପି କାର୍ଯ୍ୟକର୍ତା ମନୋରଞ୍ଜନ ତାଙ୍କର ୨ଜଣ ବନ୍ଧୁଙ୍କ ସହ ବାଇକ୍ରେ ସୋହେଲାରୁ ନିଜ ଗାଁ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ସେମାନେ ଫେରୁଥିବା ବେଳେ ବିଜେପୁର କନାପାଲି ଗାଁ ନିକଟରେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ଭୁଜାଲିରେ ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କର ଡାହାଣ ହାତ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି ।
ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଓ ଆକ୍ରମଣ ପଛରେ ବିଜେଡିର ହାତ ରହିଛି ବୋଲି ବିଜେପି ଅଭିଯୋଗ କରିଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରାଯିବ ବୋଲି ବିଦଳ ପକ୍ଷରୁ ଚେତାବନୀ ଦେଇଛି।