ରହ୍ମପୁର: ବଡ ବଜାର ଥାନା ଅନ୍ତର୍ଗତ ଆଗାସାହିସ୍ଥିତ ଏକ ଗୋଦାମରୁ ତେଲ ପିଟି ଚୋରୀ ଘଟଣାର ତଦନ୍ତରେ ପୋଲିସକୁ ସଫଳତା ମିଳିଛି । ପୋଲିସ ୨ଟି ସ୍ଥାନରୁ ୭୨ପ୍ୟାକେଟ୍ ତେଲ ପେଟି ଜବତ କରିଥିବା ବଡ ବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି । ସେହିପରି ଘଟଣାରେ ବ୍ୟବହୃତ ଏକ ଡାଲା ଅଟୋ ମଧ୍ୟ ଜବତ ହୋଇଛି । ଖସ୍ପା ସାହିରେ ରହୁଥିବା କେ.ଚକ୍ରଧର ଖାଇବା ତେଲ ବ୍ୟବସାୟ କରନ୍ତି । ଆଗାସାହିରେ ତାଙ୍କର ଗୋଦାମ କରିଛନ୍ତି । ଗତ ୬ତାରିଖ ବିଳମ୍ବିତ ରାତିରେ ଗୋଦାମର ତାଲା ଭାଙ୍ଗି ଚୋରୀ ହୋଇଥିବା ନେଇ ଗତକାଲି ଜଣାପଡିଥିଲା । ଏନେଇ ମାଲିକ ଚକ୍ରଧର ବଡ ବଜାର ଥାନାରେ ଅଭିଯୋଗ କରିଥିଲେ । ଚୋର ଦଳ ଗୋଦାମରୁ ୮୦ପେଟି ତେଲ ଚୋରୀ କରିଥିବା ତଦନ୍ତ ବେଳେ ଜଣାପଡିଥିଲା । ପୋଲିସ କେଶ୍ ନମ୍ବର ୧୪୨/୨୦ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ବିଳମ୍ବିତ ରାତିରେ ଏକ ନିର୍ଦ୍ଦିଷ୍ଟ ଡାଲା ଅଟୋ ସେହି ଅଞ୍ଚଳ ଦେଇ ଯାଉଥିବା ନେଇ ପୋଲିସ ଖବର ପାଇଥିଲା । ସେହି ଅଟୋକୁ ଟ୍ରାକ୍ କରି ଡ୍ରାଇଭରକୁ ଜେରା କରିବା ପରେ ପୁରା ଘଟଣା ପର୍ଦ୍ଦାଫାଶ ହୋଇଥିଲା । ୪ଜଣ ଅଭିଯୁକ୍ତ ମିଶି ଗୋଦାମ ତାଲା ଭାଙ୍ଗି ଚୋରୀ କରିଥିବା ଡ୍ରାଇଭର ଜଣକ ସ୍ୱୀକାର କରିଥିଲା । କ୍ରିଷ୍ଣାପେଟା ସାହି ସ୍ଥିତ ଶୌଚାଳୟ ଓ ସ୍କୁଲ ହତାରେ ତେଲ ପେଟିଗୁଡିକ ଲୁଚାଇ ରଖାଯାଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ସେ ନେଇ ବୁଧବାର ବଡବଜାର ଥାନା ପୋଲିସ ଉଭୟ ସ୍ଥାନରେ ଚଢ଼ାଉକରି ଶୌଚାଳୟରୁ ୩୦ ଓ ସ୍କୁଲ ହତାରୁ ୪୨ପେଟି ତେଲ ପ୍ୟାକେଟ୍ ଜବତ କରିଛି ।