ଭୁବନେଶ୍ୱର – ସାମାଜିକ କର୍ମୀ ତଥା ଆଦିତ୍ୟ ଦାଶଙ୍କର ମୃତ ଦେହ ମଙ୍ଗଳବାର ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ରେଳଲାଇନ୍ ରୁ ଉଦ୍ଧାର ହୋଇଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି । ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।
ମାନବପ୍ରେମୀ ଭାବେ ଜଣାଶୁଣା ଆଦିତ୍ୟଙ୍କର ଘର ବୌଦ୍ଧ ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱର ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ଚଲାଉଥିଲେ । ଏହାସହ ପିପୁଲ ଫର୍ ସେବା ନାମକ ଏକ ସଂଗଠନ କରି ସାମାଜିକ ସେବା ମଧ୍ୟ କରୁଥିଲେ । ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଥିବା ଆଦିତ୍ୟ ଜଣେ ମୋଟିଭେସନାଲ ସ୍ପିକର ମଧ୍ୟ ଥିଲେ । ଗତ ଜୁନ୍ ମାସରେ କଟକର ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ । ବିବାହର ୨ ସପ୍ତାହ ମଧ୍ୟରେ ସେ କାହିଁକି ଆତ୍ମହତ୍ୟା କଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି । ଗତକାଲି ଫେସବୁକ୍ ରେ ସେ ଏକ ପୋଷ୍ଟ କରି ଲେଖିଥିଲେ ଯେ ମୃତ୍ୟୁ ଯେତେବେଳେ ଆସେ ବହୁତ ଧିରେଧିରେ ଆସେ କେହି ଜାଣିପାରନ୍ତି ନାହିଁ । ଏଥିରେ ସେ ମାନସିକ ଭାବେ ଅସ୍ଥିର ଥିବା ମନେ କରାଯାଉଛି ।
ଗତ କିଛି ଦିନ ହେବ ଆଦିତ୍ୟ ଭୟଭୀତ ରହୁଥିଲେ । ଏକା ରହିବାକୁ ଚାହୁଁନଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରୁଥିବା ଲୋକ ଆତ୍ମହତ୍ୟା କରିପାରେନା ବୋଲି ଆଦିତ୍ୟଙ୍କ ବନ୍ଧୁ ଓ ସହଯୋଗୀମାନେ କହିଛନ୍ତି । ଏହି ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।