![](https://indokalingtimes.com/wp-content/uploads/2020/06/ikt.jpeg)
-
ରୋଗୀ, କୋଭିଡ୍ ଯୋଦ୍ଧାଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
-
ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର – ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ କୋଭିଡ୍ ପରିଚାଳନା । କୋଭିଡ୍ ରୋଗୀ ଏବଂ କୋଭିଡ୍ ଯୋଦ୍ଧାମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ଫିଡ୍ ବ୍ୟାକ୍ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବ୍ୟତୀତ ସାମାଜିକ ଦୂରତା ଓ ମାସ୍କର ବ୍ୟବହାର କୋଭିଡ୍ ନିୟନ୍ତ୍ରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତିଗ୍ରହଣ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍ ପରିଚାଳନା ମୋ ସରକାରରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍ ଯୋଦ୍ଧା ଓ ରୋଗୀମାନଙ୍କଠାରୁ ଫିଡ୍ ବ୍ୟାକ୍ ସଂଗ୍ରହ କରିବେ । ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋଭିଡ୍ ଯୋଦ୍ଧାମାନେ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଉପଯୁକ୍ତ ତାଲିମ ଦେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍ କେୟାର ହୋମ୍ ର ତଦାରଖ ପାଇଁ ଅନଲାଇନ୍ ଏଂଟ୍ରି ବ୍ୟବସ୍ଥା କରାଯିବା ଆବଶ୍ୟକ । ଏହାସହିତ ବିଭିନ୍ନ କୋଭିଡ୍ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱଆରୋପ କରିଥିଲେ । ରାଜ୍ୟର ସବୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଏବଂ ହଟସ୍ପଟ୍ ଜିଲ୍ଲାମାନଙ୍କରେ ଆଂଟିଜେନଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇପରି ହଟସ୍ପଟ୍ ନଗରମାନଙ୍କରୁଯେପରି କମ୍ ସଂଖ୍ୟାରେ ଟ୍ରେନ୍ ଓ ଉଡାଜାହାଜ ଆସିବ ସେଥିପାଇଁ କେନ୍ଦ୍ରସରକାରଙ୍କ ସହ ଯୋଗାଯୋଗରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ବର୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୬ ହଜାର ଶଯ୍ୟା ଥିବାବେଳେ ବର୍ତମାନ ୩୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ଭାରତ ସରକାରଙ୍କ ନୂଆ ଗାଇଡ ଲାଇନ୍ ଅନୁଯାୟୀ ଅଳ୍ପ ଓ ମଧ୍ୟମ ଲକ୍ଷଣ ଯୁକ୍ତ ରୋଗୀମାନଙ୍କୁ କୋଭିଡ୍ ଗୃହରେ ରଖି ଚିକିତ୍ସା ସେବା ଯୋଗାଇଦେବା ଏବଂ କେବଳ ଗୁରୁତର ରୋଗୀମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରିବା ସମ୍ପର୍କରେ ଅଧିକ ବିଚାର ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ରାଜ୍ୟର ସମସ୍ତ ଚିକିତ୍ସାଳୟରେ ଆଂଟିଜେନ୍ ଟେଷ୍ଟ ପରେ ହିଁ ଜରୁରୀଶଲ୍ୟ ଚିକିତ୍ସା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।
ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟର ପ୍ରତିପଂଚାୟତରେ ଗ୍ରାମକଲ୍ୟାଣ ସମିତି ସ୍ତରରେ ୪୭୬୧୩ ଟି କୋଭିଡ୍ କେୟାର କମିଟି ଗଠନ କରାଯାଇଥିବା ବେଳେ ଏହାର ସଦସ୍ୟ ମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି । ସେହିପରି ଗ୍ରାମପଂଚାୟତ ଗୁଡିକରେ ୪୯୨୧୮ ଶଯ୍ୟା ବିଶିଷ୍ଟ ୫୪୮୦ କୋଭିଡ୍ ଗୃହ ସ୍ଥାପନ କରାଯାଇଛି ।ଏହା ସହିତ ୩୭୯୯୮ ଶଯ୍ୟା ବିଶିଷ୍ଟ ୧୧୦୫ ଟି ସିଏସି କ୍ଲଷ୍ଟର ମଧ୍ୟ କାର୍ଯ୍ୟ କରୁଛି ।
୧୧୪ ଟି ପୌରାଂଚଳରେ ୨୦୩୫ ଟି କୋଭିଡ୍ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍ ଗୃହ ମଧ୍ୟ ସ୍ଥାପନ କରାଯାଇଛି । ଏହା ସହିତ ୫୮୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି ଟିଏମସି କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ରାଜ୍ୟରେ କୋଭିଡ୍ ପରୀକ୍ଷଣ ୩ ଲକ୍ଷରେ ପହଂଚିଥିବା ବେଳେକେବଳ ଆରଏମଆରସି ଦ୍ୱାରା ଏକ ଲକ୍ଷ ଟେଷ୍ଟ କରାଯାଇଛି । ମାର୍ଚ୍ଚ ମାସରେ ରାଜ୍ୟରେ କେବଳ ଆରଏମଆରସିରେ ପରୀଷା କରାଯାଉଥିବା ବେଳେ ବର୍ତମାନ ୧୯ ଟି ଲାବୋରେଟୋରୀରେ ପରୀକ୍ଷା କରାଯାଉଛି । ଆଗାମୀ ଦିନରେ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଲାହାଣ୍ଡି ଓ କେନ୍ଦୁଝରଠାରେ ମଧ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯଇଥିଲା । ପୁରୀ, ଭୁବନେଶ୍ୱର ଓ ଗଞ୍ଜାମରେ ସେରୋଲୋଜିକାଲ ଟେଷ୍ଟ ଚାଲିଛି ଏବଂ ଗଞ୍ଜାମକୁ ଆଂଟିଜେନ ଟେଷ୍ଟ ପାଇଁ ଅଧିକ କିଟ୍ ପଠାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ପ୍ରମୁଖ ଯୋଗ ଦେଇଥିଲେ ।