-
ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବାଚସ୍ପତିଙ୍କୁ ଗୁହାରୀକଲେ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସଭାପତି
-
ସୁପରିଚାଳନା ପାଇଁ ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଗଞ୍ଜାମ ପଠାନ୍ତୁ

ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣ ଭୟାନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ କୋଭିଡ ଯୋଦ୍ଧାଙ୍କ ସମେତ ଶତାଧିକ ସଂକ୍ରମିତ ହେଉଛନ୍ତି । ସଂକ୍ରମିତଙ୍କୁ ଚିକିିତ୍ସା ପାଇଁ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଉଛି । ହେଲେ କୋଭିଡ ରୋଗୀଙ୍କ ପାଇଁ ପ୍ରତିଷ୍ଠିତ ୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥିବା ବାରମ୍ବାର ଅଭିଯୋଗ ଆସୁଛି । ଏପରିକି ବ୍ୟାପକ ଅବ୍ୟବସ୍ଥାର ଭିଡିଓ ଭାଇରାଲ ହେଉଛି । ଏହାର ପ୍ରତିକାର ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ ତାହା ଯଥେଷ୍ଟ ନୁହେଁ ବୋଲି ଗୋଟିଏ ପରେ ଗୋଟିଏ ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରୁଛନ୍ତି । ତେଣୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି । ଧରାକୋଟ ବ୍ଲକ୍ର ମୁଣ୍ଡମରାଇ ଅଞ୍ଚଳର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ତାଙ୍କୁ ଉଚିତ ସେବା ଯୋଗାଇ ଦେଉ ନଥିବା ଅଭିଯୋଗ ଆସିଛି । ତାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିନଥିବା ନେଇ ଗଞ୍ଜାମ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସଭାପତି କ୍ରିଷ୍ଣା କୁମାରୀ ରବିବାର ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଫୋନ୍କରି ସେଥିପ୍ରତି ଦୃଷ୍ଟିଦେବାକୁ କହୁଥିବା ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଅନ୍ୟପକ୍ଷରେ ଜଣେ କୁୂକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟକର୍ମୀ ଗତ ୩୦ତାରିଖ ଠାରୁ କୋଭିଡ୍ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନ୍ୟପକ୍ଷରେ ପାରଳା ମହାରାଜା କୋଭିଡ କେୟାର ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ଗତ ୨ଦିନତଳେ ଭିଡିଓ ଭାଇରାଲ ହୋଇଥିଲା । କେନ୍ଦ୍ର ପରିସରରେ ଏତେ ମାତ୍ରାରେ ମଇଳା ଆବର୍ଜନା ଗଦା ହୋଇଥିଲା । ଯାହାକି ମେଡିକାଲ୍ରେ ଅସ୍ୱାସ୍ଥ୍ୟକର ପରିବେଶର ଭିଡିଓ ଭାଇରାଲ ହେବାପରେ ଖୋଦ୍ ଜିଲ୍ଲାପାଳ ସଫେଇ କରିବାକୁ ନିର୍ଦ୍ଦେଶ ଦେବାପରେ ସଫେଇ ହୋଇଥିଲା ଓ ଏହାର ଫଟୋକୁ ଜିଲ୍ଲାପାଳ ଟ୍ୱିଟ୍ କରିଥିଲେ । ଅନ୍ୟପକ୍ଷରେ ଲୋକେ ପିଇବା ପାଣି ମିଳୁନଥିବା ଭିଡିଓ ମଧ୍ୟ ଗତ ୨ଦିନତଳେ ରୋଗାୀମାନେ ଭାଇରାଲ୍ କରିଥିଲେ । ରବିବାର ଦିନ ମଧ୍ୟାହ୍ନରେ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ହୋଇଥିବା ନେଇ ଭିଡିଓ ଭାଇରାଲ ହୋଇଛି । ପ୍ଲାଷ୍ଟିକ୍ ଚାଉଳର ଭାତ ଦିଆଯାଉଛି ଓ ଅଖାଦ୍ୟ ଯୋଗାଣ ହେଉଥିବା ଅଭିଯୋଗକରି କିଛି ରୋଗୀ ଭିଡିଓ ଭାଇରାଲକରି ପ୍ରଶାସନକୁ ଉପଯୁକ୍ତ ଖାଦ୍ୟ ପ୍ରଦାନ ଲାଗି ଅନୁରୋଧ କରିଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି ।
ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲାକୁ ପ୍ରାଥମିକତା ଦେଇଛନ୍ତି । କୋଭିଡର ସୁପରିଚାଳନା ପାଇଁ ୨ ଆଇଏଏସ୍ ଓ ୬ ଓଏଏସ୍ ଓ ୪ ପୋଲିସ ଅଧିକାରୀଙ୍କୁ ଗଞ୍ଜାମରେ ଦାୟୀତ୍ୱ ଦେଇଛନ୍ତି । ରବିବାର ଦିନ ଠାରୁ ସେମାନେ ଜିଲ୍ଲାରେ ଯୋଗଦାନ କରିଛନ୍ତି । ସେହିପରି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ ତଦାରଖ ଲାଗି ଗଞ୍ଜାମ ଜିଲ୍ଳାକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଟିମ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କର୍ମକର୍ତ୍ତାମାନେ ଆସି ଅନୁଧ୍ୟାନକରି ଫେରିଛନ୍ତି । ଏଭଳି ସ୍ଥିତିରେ ଆଶାଜନକ ସୁଧାର ଆସୁନଥିବା ଭାଇରାଲ ହେଉଥିବା ଭିଡିଓ ଓ ଅଡିଓ କ୍ଲିକ୍ରୁ ଜଣାପଡୁଛି । ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ଗୁଡିକର ସୁପରିଚାଳନା ଓ କିପରି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ସେ ଦିଗରେ ଗୁରୁତ୍ୱଦେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ବରିଷ୍ଠ ଡାକ୍ତରକୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ନିଯୁକ୍ତି କରନ୍ତୁ ବୋଲି ରୋଗୀ ସମ୍ପର୍କୀୟ, ବୃଦ୍ଧିଜୀବୀ ଓ ଜିଲ୍ଲାର ବିଭିନ୍ନ ସଙ୍ଗଠନ ମାନେ ସରକାରଙ୍କ ନିକଟରେ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।