ପୁରୀ- ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ବୀରପୁରୁଷୋତମପୁର ବ୍ରାହ୍ମଣ ଶାସନ ଗ୍ରାମରେ ଅନ୍ୟ ଜାତିର ଲୋକେ ଅନେକ ସମୟରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ହିନମନ୍ୟତା ଓ ଆକ୍ଷେପର ଶିକାର ହେବା ଭଳି ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି । ଏପରିକି ଗରିବ ଓ ଅନ୍ୟ ଜାତିର ଲୋକଙ୍କ ପ୍ରତି ଜାତିଆଣ ଆକ୍ଷେପ ମଧ୍ୟ କରାଯାଉଛି । ତେବେ ବର୍ଷ ବର୍ଷ ଧରି ଏସବୁ ଦୁଃଖ କଷ୍ଟ ସହିବାକୁ ପଡୁଛି ସେମାନଙ୍କୁ । ପାଟି ଖୋଲିଲେ ଦଳଗତ ଓ ଗୋଷ୍ଠୀ ଗତ ଚାପ ପଡୁଥିବା, ଏପରିକି ଗାଁରୁ ବାହାର କରିଦେବାର ଧମକ ମିଳୁଥିବାରୁ ଅନେକାଂଶରେ ଲୋକେ ଭୟରେ ଚୁପ୍ ରହୁଥିବା ଅଭିଯୋଗ ହୋଇଛି । କେତେକ ଲୋକ ଜୀବନ ଭୟରେ ନିଜ ନାମ ଗୋପନ ରଖି ଏସବୁ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଗତ ଫନି ଓ ଅମ୍ଫନ ବାତ୍ୟାରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଲୋକଙ୍କ ଘର ଭାଙ୍ଗି ପଡିଥିବା ବେଳେ ମରାମତି ପାଇଁ ସମୟ ଓ ଅର୍ଥର ଆବଶ୍ୟକତା ଦୃଷ୍ଟିରୁ ସେମାନେ ଏବେ ଭଡ଼ା ଘର ଖୋଜୁଛନ୍ତି । କେତେକାଂଶରେ ଗରିବ ଓ ଅସହାୟ ଲୋକ ମାନେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ବସିଛନ୍ତି । ସରକାରୀ ସହାୟତା ମିଳିଲେ ଘର କାମ କରିବେ ବୋଲି ମନରେ ଆଶା ବାନ୍ଧି ବସିଛନ୍ତି । ହେଲେ ଆଜି ଯାଏଁ ନା ସେମାନଙ୍କୁ ମିଳୁଛି ସରକାରୀ ସହାୟତା ନା ପ୍ରଶାସନ ଅଧିକାରୀଙ୍କ ସହୃଦୟତା । ଏଭଳି ସ୍ଥିତିରେ ବୀରପୁରୁଷୋତମପୁର ଗାଁର ଅନେକ ଘର ଭାଙ୍ଗି ପଡିଥିବା ଏବଂ ବହୁ ମାତ୍ରାରେ ଛାତ, ଚାଳ, ଝାଟିମାଟି ଓ ଆଜବେଷ୍ଟସ୍ ଘର କ୍ଷୟକ୍ଷତି ହୋଇଥିବା ବେଳେ ଗାଁର ଅଧିକାଂଶ ଲୋକ ବାହାରେ ଚାକିରି ଓ ବ୍ୟବସାୟ କରି ରହୁଥିବାରୁ ସେମାନେ ନିଜର ଚିହ୍ନା ଜଣା ତଥା ସମ୍ପର୍କୀୟଙ୍କୁ ଦାୟୀତ୍ୱ ଦେଇ ଗୃହ ମରାମତି କାର୍ଯ୍ୟ କରିବା ଓ ଘର ଗୁଡିକ ଖାଲି ପଡିଥିବାରୁ ତଥା ବ୍ୟବହାର ହେଉନଥିବାରୁ ତାହାକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଦାୟୀତ୍ୱ ଦେଇଛନ୍ତି । ଏପରିକି କେତେକ ପରିବାର ବାହାରେ ରହୁଥିବାରୁ ସେମାନଙ୍କ ଘର ତାଲା ପଡିଛି ।
କେବଳ ସେତିକି ନୁହେଁ ବର୍ଷ ବର୍ଷ ଧରି ଗାଁରେ ରହୁଥିବା ନିମ୍ନ ଜାତିର ଲୋକେ ଓ ଅନ୍ୟ ଜାତିର ଲୋକେ ମଧ୍ୟ ଏହି ତଥାକଥିତ ବ୍ରାହ୍ମଣ ବୋଲାଉଥିବା ଗୋଷ୍ଠୀଙ୍କ ଦ୍ୱାରା ଆକ୍ରାଶର ଶିକାର ହୋଇ ଅତିଷ୍ଠ ହୋଇପଡିଲେଣି । ଏପରିକି ଲୋକେ ଏମାନଙ୍କ ଆଗରେ କଥା କହିବାକୁ ସାହସ ଜୁଟାଇ ପାରୁନାହାଁନ୍ତି । ରାଜ୍ୟ ମାନବାଧିକାର କମିଶନ, ଆଇନ୍ ମନ୍ତ୍ରୀ ଏବଂ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ନିଜକୁ ସର୍ବେସର୍ବା ବୋଲାଉଥିବା ଓ ମେରୀ ରାୟ ନୀତି ଚଳାଇଥିବା ଗାଁ କୋଠର ଏହି ସଦସ୍ୟଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।