-
୧୪ ସୁସ୍ଥ, ୧୩ଚିକିତ୍ସିତ
ବ୍ରହ୍ମପୁର: କରୋନାରେ ଆକ୍ରାନ୍ତ କୋଭିଡ ଯୋଦ୍ଧା ପରୀକ୍ଷା ହେଲାଣି ୧୦୬ଜଣ ପୋଲିସଙ୍କ ନମୁନା କରୋନା ବିରୋଧରେ ଚାଲିଥିବା ଯୁଦ୍ଧର ଆଗଧାଡିର ଯୋଦ୍ଧା ଆକ୍ରାନ୍ତ ହେଉଛନ୍ତି । ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଏବେ ବହୁ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ପୋଲିସ ଜିଲ୍ଲାରୁ ଅଦ୍ୟାବଧି ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଥିବା ସୂଚନା ଦିଆଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲାରେ ଅଦ୍ୟାବିଧ ୧୯ଜଣ ପୋଲିସ କର୍ମଚାରୀଙ୍କ ଦେହରେ କୋରନା ପଜେଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ କେତେଜଣ ଚିକିତ୍ସିତ ହେଉଛନ୍ତି । ସମସ୍ତେ ସୁସ୍ଥ ଅଛନ୍ତି ଓ ଖୁବଶୀଘ୍ର ଘରକୁ ଫେରିବେ ବୋଲି କୁହାଯାଉଛି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ମୋଟ ୧୦୬ଜଣ କର୍ମଚାରୀ ଓ ଅଧିକାରୀଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୭ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା । ଏଥିରେ ଜରଡା ଥାନାର ୭ଟି ନମୁନା ରହିଥିବା ବେଳେ ଗୋଳନ୍ଥରାର ୧୪, ସଦରର ୮, ଗୋପାଳପୁରର ୨୦, ବଡବଜାରର ୮ଟି ନମୁନା ରହିଥିଲା ବୋଲି ସୂଚନା ମିଳିଛି । ତନ୍ମମଧ୍ୟରୁ ୪୩ଜଣଙ୍କ ରିପୋର୍ଟ ଆସିଥିବା ଜଣାପଡିଛି । ସେହି ରିପୋର୍ଟରେ ୮ଜଣଙ୍କ ନମୁନା ପଜିଟିଭ ରହିଛି । ତନ୍ମଧ୍ୟରେ ସଦର ଥାନାର ଜଣେ ଏସ୍ଆଇ, ଗୋପାଳପୁର ଥାନାର ୫ଜଣ କନଷ୍ଟେବଳ ଓ ଗୋଳନ୍ଥରା ଥାନାର ୨ଜଣ ଗୃହରକ୍ଷୀ ରହିଛନ୍ତି । ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଆଜି ୪୯ଟି ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସଦର, ବଡବଜାର, ଗୋଳନ୍ଥରା ଓ ଟ୍ରାଫିକ୍ ଥାନାର କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଥିବା ସୂଚନା ମିଳିଛି । ସଦର ଥାନାର ମୁଖ୍ୟ ଫାଟକରେ ବ୍ୟାରିକେଟ କରାଯାଇଛି । ଲୋକଙ୍କୁ ଭିତରକୁ ଯିବା ପାଇଁ ମନା କରାଯାଇଥିବା ବେଳେ ବାହାରେ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି । ସେହିପରି ସହରରେ ଥିବା ଅନ୍ୟ ଥାନାକୁ ଯାଉଥିବା ଲୋକଙ୍କୁ ଅଭିଯୋଗର କାରଣ ପଚରା ଯିବା ପରେ ହାତ ଧୋଇ ଭିତରକୁ ଯିବା ଯାଇଁ କୁହାଯାଉଥିବା ଦେଖିବାକୁ ମିଳିଛି ।