
ବ୍ରହ୍ମପୁର: ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୋଲସରା ବ୍ଲକ୍ରେ ଉପସ୍ଥିତ ରହି ଜିଲ୍ଲାସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀଙ୍କ ସହ କୋଭିଡ ପରିଚାଳନାଗତ କୋଭିଡ୍ କେୟାର ହୋମ୍, ସ୍କିଲ୍ ମ୍ୟାପିଂ, ଆମ ସ୍ୱାସ୍ଥ୍ୟ ଆମ ଦାୟୀତ୍ୱ, କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, କୋଭିଡ କେୟାର୍ସ ହୋମ୍ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟଗୁଡିକରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ମାସ୍କ ପିନ୍ଧିବା, ହାତ ଧୋଇବା, ବିଶୁୂଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସାମାଜିକ ଦୂରତ୍ୱ ବଜାୟ ରଖିବା, କାର୍ଯ୍ୟାଳୟ ପରିବେଶକୁ ସ୍ୱଚ୍ଛ ରଖିବା ଆଦି କାର୍ଯ୍ୟଗୁଡିକ ଯେପରି ସୁପରିଚାଳନା ହେବ ସେଥିପ୍ରତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଓ କର୍ମଚାରୀ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥିପୂର୍ବରୁ ଚାଲୁ ରହିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ବନ୍ଦ କରାଯାଇ ନୂତନ କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଡମିଶନ୍ କରାଯିବ । ଜିଲ୍ଲାକୁ ଆସୁଥିବା ପ୍ରବାସୀମାନଙ୍କର ରେକର୍ଡ ଠିକ୍ ରୂପେ ରଖିବା ଏବଂ କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ତଥ୍ୟ ରେକର୍ଡଭୁକ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ କୋଭିଡ୍ କେୟାର ସେଣ୍ଟରରେ ଆଡମିଶନ କରି ଚିକିତ୍ସା କରାଯାଉ ।
ଯେଉଁମାନଙ୍କର ଜ୍ୱର, କାଶ ଇତ୍ୟାଦି ଲକ୍ଷଣମାନ ଦେଖାଗଲେ ତୁରନ୍ତ ଗ୍ରାମାଞ୍ଚଳରେ ରହିଥିବା କୋଭିଡ୍ କେୟାର ସେଣ୍ଟରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେବା ଜରୁରୀ । କୋଭିଡ୍ କେୟାର ସେଣ୍ଟରରେ ସମସ୍ତ ସୁବିଧା କରିବା ସହିତ ସେହିଠାରେ ଅଯଥା ଭିଡକୁ ରୋକିବା ସକାଶେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସ୍ୱାବ୍ ପରୀକ୍ଷା ନିମନ୍ତେ ଦେଇଥିବା ବ୍ୟକ୍ତି ଏଣେତେଣେ ଯିବା ଆସିବା କରିବା କଥା ନୁହେଁ । ଯେପର୍ଯ୍ୟନ୍ତ ସେମାନଙ୍କର ଟେଷ୍ଟ ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ନିହାତି ଭାବରେ ତିନିଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ଏକାନ୍ତ ରହିବା ଜରୁରୀ । ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ କୁହାଯାଇଥିବା ବ୍ୟକ୍ତି ଯଦି ଅମାନ୍ୟ କରନ୍ତି ତେବେ ସେମାନଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ମାନଙ୍କରେ ୧୪ଦିନ ରଖାଯିବ । ସମ୍ପ୍ରତି କୌଣସି ବାହାଘର ଏବଂ ଅନ୍ୟାନ୍ୟ ଉତ୍ସବ ପାଳନ କରିବାକୁ ବାରଣ କରାଯାଇଛି । ଯଦି କେହି ଏହି ନିୟମର ଉଲ୍ଲଂଘନ କରନ୍ତି ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହା ପାଳନ ଦିଗରେ ଊଲ୍ଲଂଘନକାରୀଙ୍କ ପ୍ରତି କଡାକଡି ନଜର ରଖିବା ପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ । ଛକ ସ୍ଥାନ ଓ ଦୋକାନ ସମ୍ମୁଖରେ ଅଯଥାରେ ବିନା କାରଣରେ ଗହଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଇନ୍ ଅନୁଯାୟୀ କ୍ୱାରେଣ୍ଟାଇନ୍ରେ ୧୪ଦିନ ରହିବାକୁ ପଡିବ ଏଥିପ୍ରତି ସାବଧାନ ରହିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଭିଡିଓ କନ୍ଫରେନ୍ସିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମଚରଣ ମଣ୍ଡଳ, ସ୍ୱାସ୍ଥ୍ୟ ବିଭାଗର ଜିଲ୍ଲା ପୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO