ଗଞ୍ଜାମ– ଆଜିଠୁ ବ୍ରହ୍ମପୁର ସହରକୁ ଆଗାମୀ ୪ ଦିନ ଅର୍ଥାତ୍ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସର୍ଟ ଡାଉନ୍ ଘୋଷଣା କରାଯାଇଛି । ବ୍ରହ୍ମପୁର ସହରରେ ଛତୁ ଫୁଟିଲା ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ଏହି ନିଷ୍ପତି କ୍ରମେ ଆଜିଠୁ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ସଟ ଡାଉନ୍ କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ୭୦ ଟି ମେଡ଼ିକାଲ୍ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ବିଶେଷ କରି ବୟସ୍କ ଲୋକ, ବହୁମୂତ୍ର ରୋଗୀ, ରକ୍ତଚାପ ରୋଗୀ, କିଡ଼୍ନୀ ଓ ଜ୍ୱର ସମ୍ବନ୍ଧୀୟ ବିଭିନ୍ନ ରୋଗର ପରୀକ୍ଷା କରି ଏହି ମେଡିକାଲ ଟିମ୍ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ । ତଦନୁଯାୟୀ ଆବଶ୍ୟକୀୟ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉ କି, ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରୀ କରିଥିଲେ । ଜିଲ୍ଲାପାଳଙ୍କ ପରବର୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକଣା ବଳବତର ରହିବ ।