
ଗୁଆହାଟୀ– ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ଆସାମରେ ବନ୍ୟା ହୋଇଛି । ରାଜ୍ୟରେ ମସଲଧାରା ବର୍ଷା ହେବାରୁ ବନ୍ୟା ସୃଷ୍ଟି ହୋଇଛି । ରାଜ୍ୟର ୧୬ଟି ଜିଲ୍ଲାର ୭୦୪ଟି ଗାଁ ଜଳବନ୍ଦୀ ହୋଇଛି । ବ୍ରହ୍ମପୁତ୍ର ନଦୀ ବିପଦ ସଂକେତରେ ଅଛି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସମସ୍ତ ଜିଲ୍ଲାର ଉପାୟୁକ୍ତଙ୍କୁ ବନ୍ୟା ସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ବନ୍ୟା ଯୋଗୁଁ ମୃତକଙ୍କ ସଂଖ୍ୟା ୧୫ ହୋଇଛି । ଏଥି ସହିତ ବନ୍ୟାରେ ୨ ଲକ୍ଷ ୫୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।
ରାଜ୍ୟରେ ଧେମାଜୀ ସର୍ବାଧିକ ପ୍ରଭାବିତ ଜିଲ୍ଲା ଓ ଏହା ପରେ ତିନସୁକିଆ, ମାଜୁଲି ଏବଂ ଡେବ୍ରିଗଡ଼ରେ ବନ୍ୟା ଜଳ କ୍ଷତି ପହଞ୍ଚାଇଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଦୈନିକ ବନ୍ୟା ରିପୋର୍ଟ ଅନୁସାରେ ଡେବ୍ରିଗଡ଼ରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।
ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଧେମାଜୀ, ଲକ୍ଷ୍ମୀପରୁ, ବିଶ୍ୱନାଥ, ଉଦଲଗୁଡ଼ି, ଦରଙ୍ଗ, ବକ୍ସା, କୋକରାଝର, ବାରପେଟା, ନାଙ୍ଗାବ, ଗୋଲଘାଟ, ମାଜୁଲୀ, ଶିବସାଗର, ଡେବ୍ରିଗଡ଼ ଓ ତିନିସୁକିଆ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏବେ ୧୪୨ଟି ଆଶ୍ରୟସ୍ଥଳରେ ୧୯ ହଜାର ଲୋକ ରହୁଛନ୍ତି ।