-
ବ୍ରହ୍ମପୁର ବିଷୟରେ ରହିବ ସବିଶେଷ ତଥ୍ୟ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ୱେବସାଇଟରେ ବର୍ତ୍ତମାନ ନିଗମର ବିଷୟରେ ହିଁ ତଥ୍ୟ ଉପଲବ୍ଧ ହେଉଛି । ତେଣୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ନୂତନ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ‘ଆଇ ଏମ୍ ବ୍ରହ୍ମପୁର’ ନାମରେ ପ୍ରସ୍ତୁତ କରାଯାଉଥିବା ଏହି ପୋର୍ଟଲରେ ବ୍ରହ୍ମପୁର ସହରର ସମସ୍ତ ପ୍ରକାର ତଥ୍ୟକୁ ଡିଜିଟାଲ ପ୍ଳଶଫର୍ମରେ ଉପଲବ୍ଧ ପାଇଁ ଯୋଜନା ହୋଇଛି । ଏହି ପୋର୍ଟାଲ ଜରିଆରେ ଲୋକମାନେ ସହରର ଇତିହାସ ଠାରୁ ଆରମ୍ଭ କରି ଲୋକଙ୍କ ଚାଲିଚଳଣ, ସଂସ୍କୃତି, ପର୍ଯ୍ୟଟନ ବିଷୟରେ ଅବଗତ ହେବା ସହ ବିଏମ୍ସି ପକ୍ଷରୁ ନିଆଯାଇଥିବା ଏବଂ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ସହ ସାଧାରଣ ଲୋକଙ୍କ ଅଭିଯୋଗ ଓ ସମାଧାନ ସମ୍ବନ୍ଧରେ ତଥ୍ୟ ରହିବ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ସହରରେ ଥିବା ସରକାରୀ କାର୍ଯ୍ୟାଳୟ ଓ ବଡ଼ ବଡ଼ ପ୍ରତିଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସହ ବିଭିନ୍ନପ୍ରକାରର ତଥ୍ୟ ଉପଲବ୍ଧ କରାଯିବାକୁ ଯୋଜନା ହୋଇଛି ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି । ଲୋକାମନେ ଏହି ଅନଲାଇନରେ ଏହି ପୋର୍ଟାଲକୁ ଯିବା ପରେ ସେମାନଙ୍କୁ ବ୍ରହ୍ମପୁର ସହରରେ ଥିବା ୱାର୍ଡ ସଂଖ୍ୟା ଠାରୁ ଆରମ୍ଭ କରି ସହରର ଭୌଗଳିକ ସ୍ଥିତି, ରାସ୍ତାଘାଟ, ନାଳ, ପୋଖରୀ, ପାର୍କ, ମନୋରଞ୍ଜନ ପ୍ରତିଷ୍ଠାନ ଓ ସହର ଭିତରେ ଥିବା ପର୍ଯ୍ୟଟନ କ୍ଷେତ୍ର ଓ ସେଗୁଡ଼ିକର ଇତିହାସ, ମହତ୍ତ୍ୱ ବିଷୟରେ ଜାଣିପାରିବେ । ବ୍ରହ୍ମପୁର ସହରରେ ପୂର୍ବରୁ ଅନୁଷ୍ଠିତ ବଡ଼ ବଡ଼ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ପାଇବା ସହ ସହରକୁ ଆସିଲେ କଣ ସବୁ ସୁବିଧାସୁଯୋଗ ରହିଛି ସେ ନେଇ ତଥ୍ୟ ରହିବ । ବ୍ରହ୍ମପୁରରେ ମିଳୁଥିବା ପ୍ରସିଦ୍ଧ ଖାଦ୍ୟ, ଲୋକଙ୍କ ଦ୍ୱାରା ପାଳିତ ପରମ୍ପରା, ଯାନିଯାତରା ବିଷୟରେ ଜାଣିହେବ । କେବଳ ଏତିକି ନୁହଁ ଏହି ପୋର୍ଟାଲ ମାଧ୍ୟମରେ ବିଏମସି ପକ୍ଷରୁ ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ବିଷୟରେ ମଧ୍ୟ ତଥ୍ୟ ରହିବ । ସେହିପରି ଲୋକଙ୍କ ଅଭିଯୋଗ ପାଇଁ ସୁବ୍ୟବସ୍ଥା କରାଯିବ । ସେହି ଅଭିଯୋଗର ସମାଧାନ କେବେ ହେବ ଓ ସେ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଲୋକମାନେ ଏହି ପୋର୍ଟାଲ ମାଧ୍ୟମରେ ଜାଣିପାରିବେ ବୋଲି କୁହାଯାଇଛି । ବର୍ତ୍ତମାନ ଏହି ପୋର୍ଟାଲ କାମ ଚାଲୁଅଛି କିଛି ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କମିଶନର ସୂଚନା ଦେଇଛନ୍ତି ।