ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜାତୀୟ ପୋଷଣ ମାସ-୨୦୧୯ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇ କହିଲେ ପୂର୍ବରୁ ଓଡ଼ିଶା କୁପୋଷଣ କ୍ଷେତ୍ରରେ ୬୩ ପ୍ରତିଶତ ଥିବା ବେଳେ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଏହା ୩୭ ପ୍ରତିଶତକୁ ଖସି ଆସିଛି । ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତି । ସେମାନଙ୍କର ଅପପୁଷ୍ଟିଜନିତ ରୋଗକୁ ଦୂର କରିବା, ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଇ ଶିଶୁମାନଙ୍କୁ ଉତମ ନାଗରିକ ଓ ସୁଯୋଗ ଦାୟଦ ରୂପେ ଗଢ଼ିତୋଳିବା ଆମ କର୍ତବ୍ୟ । ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ । ଉପକୂଳ ଅଂଚଳରେ କୁପୋଷଣ ହାରକୁ ଆମେ କମାଇବାକୁ ସକ୍ଷମ ହୋଇଥିବା ବେଳେ ବର୍ତମାନ ଆଦିବାସୀ ଅଧ୍ୟୁଷିତ ଅଂଚଳକୁ କୁପୋଷଣମୁକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ।
ସମ୍ମାନିତ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସଚେତନତା ଅଭାବ କୁପୋଷଣର ମୂଳ କାରଣ ବୋଲି କହିଥିଲେ । ବର୍ତମାନ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ଫଳରେ ଶିଶୁ ଓ ମାତୃ ମୃତୁ୍ୟହାର ଯଥେଷ୍ଟ ହ୍ରାସ ପାଇଛି ବୋଲି କହିଥିଲେ ।
ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ ଉତ୍ସବରେ ଯୋଗଦେଇ ମାତୃ ଏବଂ ଶିଶୁ
ମୃତୁ୍ୟହାର କମାଇବା କ୍ଷେତ୍ରରେ ଓଡ଼ିଶା ଆଜି ସମଗ୍ର ଦେଶରେ ଆଗରେ ରହିଛି । ରାଜ୍ୟ ସରକାରଙ୍କ “ମମତା’ ଯୋଜନା ରାଜ୍ୟରେ ମାତୃ ଓ ଶିଶୁ ମୃତୁ୍ୟହାର ରୋକିବାରେ ଯଥେଷ୍ଟ ଫଳପ୍ରଦ ହୋଇଛି । ଅଙ୍ଗନବାଡ଼ି ଜରିଆରେ ପୁଷ୍ଟିକର ଖାଦ୍ୟ ଏବଂ ଆଇରନ ବଟିକା ଆଦି ଯୋଗାଇବାରେ ସରକାର ବହୁ ଅର୍ଥ ବିନିଯୋଗ କରିଥିବା ଶ୍ରୀମତୀ ଦେଓ କହିଥିଲେ ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅକ୍ଷ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ
ପୋଷଣଯୁକ୍ତ ଖାଦ୍ୟର ବ୍ୟବହାର ଓ ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କ ୫ “ଟି ‘ ସୂତ୍ର ପାଳନ ସହ କୁପୋଷଣ ଦୂର କରିବା ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନୁ୍ୟଟ୍ରିସନ ବୋର୍ଡର ପ୍ରଦର୍ଶନ ଅଧିକାରୀ ଶ୍ରୀ ପି.କେ.ମିଶ୍ର କୁପୋଷଣର ବିଭିନ୍ନ କାରଣ ଏବଂ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।