
ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧିନସ୍ଥ ଆମ୍ବପୁଆ ରିଜର୍ଭ ଅଫିସ ପରିସରରେ ଶୁକ୍ରବାର ଦିନ ପୁଲିସ, କମନ୍ମେସ୍, ୧୫ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ସହ ବହୁ ଦିନ ଧରି ଅବହେଳିତ ହୋଇ ପଡ଼ି ରହିଥିବା ପୁଲିସ ଚିକିତ୍ସାଳୟକୁ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ମିଳିତ ଭାବେ ଉଦ୍ଘାଟିତ କରିଛନ୍ତି । ରିଜର୍ଭ କାର୍ଯ୍ୟାଳୟ ପରିସରରେ ରହିଥିବା ବ୍ୟାରେକ୍ରେ ପୁଲିସ କର୍ମଚାରୀମାନେ ବିଭିନ୍ନ ସମୟରେ ଖାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ପୁଲିସ କର୍ମଚାରୀ ଓ ସଶସ୍ତ୍ର ବାହିନୀ ପାଇଁ ପୁଲିସ କମନ୍ମେସ୍ର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ପୁଲିସ କର୍ମଚାରୀମାନେ ଉପକୃତ ହେବେ । ଏହା ପରେ କୋଭିଡ଼-୧୯ ନିୟମ ପ୍ରକାରେ କୌଣସି ପୁଲିସ କର୍ମଚାରୀ କରୋନାକୁ ନେଇ ଅସୁସ୍ଥତା ଅନୁଭବ କରିବେ ତାହା ହେଲେ ସେମାନଙ୍କ ପାଇଁ ଚିକିତ୍ସା, ରହିବା ଓ ଖାଇବା ବ୍ୟବସ୍ଥା କରିବା ପାଇଁ କାର୍ଯ୍ୟାଳୟ ପରିସରରେ ୧୫ଶଯ୍ୟା ବିଶିଷ୍ଟ ଏକ କୋଭିଡ଼ କେୟର ସେଣ୍ଟର ଉଦ୍ଘାଟନ କରାଯାଇଛି । ଯାହା ଫଳରେ କି ଯେଉଁ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ଓ ସନ୍ଦିଗ୍ଧ ମନେ କରାଯିବ ସେମାନଙ୍କୁ ଏଠାରେ ରଖାଯିବ । ୧୯୯୨ ମସିହାରୁ ରିଜର୍ଭ କାର୍ଯ୍ୟାଳୟରେ ଏକ ପୁଲିସ ଚିକିତ୍ସାଳୟର ଶୁଭାରମ୍ଭ କରାଯାଇଥିଲା । କିଛି ବର୍ଷ ଚାଲିବା ପରେ ଗତ କିଛି ବର୍ଷ କାର୍ଯ୍ୟକ୍ଷମ ହେବା ପରେ ଏହା ବନ୍ଦ ହୋଇଯାଇଥିଲା । ପୁଲିସ ଫୋର୍ସଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଏସ୍ପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପୁଣି ଥରେ ଏହି ଚିକିତ୍ସାଳୟ ଆରମ୍ଭ ହେବାକୁ ଯାଉଛି ।
ଜଣେ ଡ଼ାକ୍ତର,ଜଣେ ଫାର୍ମାସିଷ୍ଟ, ଜଣେ ନର୍ସ ଓ ଆଉ ଜଣେ ତାଙ୍କ ସହଯୋଗୀଙ୍କୁ ଏଠାରେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି । ଦୀର୍ଘ ଦିନ ପରେ ଏହା କାର୍ଯ୍ୟକ୍ଷମ ହୋଇଥିବାରୁ ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଏହି ଉଦ୍ଘାଟନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡ଼ିଆଇଜି ଓ ଏସ୍ପିଙ୍କ ସହ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାୟ ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ସମେତ ସଦର ଏସ୍ଡ଼ିପିଓ ଜୟନ୍ତ ମହାପାତ୍ର, ଟାଉନ୍ ଏସ୍ଡ଼ିପିଓ ବିଷ୍ଣୁ ପ୍ରସାଦ ପତି, ଡ଼ିଏସ୍ପି ସାର୍ଥକ ରଏ, ରାମକୃଷ୍ଣ ପତି, ବିଏନ୍ପୁର ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ, ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋସାଇଁନୂଆଗାଁ ଥାନା ଅଧିକାରୀ ସୁମିତ ସରେନ୍ ଓ ମହିଳା ଥାନାଧିକାରୀଙ୍କ ସମେତ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ରିଜର୍ଭ ଇନସ୍ପେକ୍ଟର ଦିଲୀପ ବେହେରା ଏହାକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ଜେଣ୍ଟ କବିବର ଦେଉରୀ, ଡ଼ିଏସ୍ଆଇ ପ୍ରଦୀପ କୁମାର ବେହେରା ଓ ଶରତ ମହାପାତ୍ର, କନେଷ୍ଟବଳ ଓ ହାବିଲଦାର ସଂଘ ସଭାପତି କାଳୀଚରଣ ଷଡ଼ଙ୍ଗୀ ଓ ସମ୍ପାଦକ କେ.ଶ୍ରୀନିବାସ ପାତ୍ରଙ୍କ ସମେତ ମେଡ଼ିକାଲର ନର୍ସ ଉର୍ମିଳା ଆଚାର୍ଯ୍ୟ ଓ ଏଟେଣ୍ଡାର ଯୁଧିଷ୍ଠୀର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।