ବ୍ରହ୍ମପୁର: କୋଭିଡ-୧୯ ନିୟମକୁ ଉଲ୍ଲଂଘନ ପାଇଁ ଜୋରିମାନା ଆଦାୟ ବେଳେ ବ୍ୟବହାର ହେଉଥିବା ରସିଦ ବହି ଜାଲ୍ କରିବା ଅଭିଯୋଗରେ ଗିରଫ ହୋଇଥିବା କନେଷ୍ଟବଳ କୃଷ୍ଣଚନ୍ଦ୍ର ନାୟକଙ୍କୁ ଗୁରୁବାର ସର୍ତମୂଳକ ଜାମିନ୍ ମିଳିଛି । ବ୍ରହ୍ମପୁର ଏସ୍ଡିଜେଏମ୍ ସରୋଜିନୀ ସାହୁ ଜାମିନ୍ ଆବେଦନ ଶୁଣାଣୀକରି ମଞ୍ଜୁର କରିଛନ୍ତି । ୩୦ହଜାର ଟଙ୍କାର ବେଲ୍ବଣ୍ଡ ଏବଂ ୨ଜଣ ଜାମିନ୍ଦାର ହାଜର କରିବା ପରେ କନେଷ୍ଟବଳ କୃଷ୍ଣଚନ୍ଦ୍ରଙ୍କୁ ଜାମିନ୍ ମିଳିଛି । ଗତ ୨୦ତାରିଖରେ ବୈଦ୍ୟନାଥପୁର ଥାନା ପୋଲିସ କନେଷ୍ଟବଳ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଜୋରିମାନା ଆଦାୟ ପାଇଁ ରେଡକ୍ରସ୍ ତରଫରୁ ଦିଆଯାଉଥିବା ରସିଦ୍ ବହି ବେଆଇନ୍ ଭାବେ ଛପାଇ ଜାଲିଆତି କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ପୋଲିସ ଆବଶ୍ୟକ ପ୍ରମାଣ ବଳରେ ତାଙ୍କୁ ଗିରଫ କରିଥିଲା । ଏହି ମାମଲାରେ ଆଜି ଜାମିନ୍ ପାଇ ସେ ଜେଲ୍ରୁ ମୁକୁଳିଛନ୍ତି । ସାକ୍ଷୀଙ୍କୁ ଧମକ ନଦେବା, ମାମଲାର ବିଚାରଣା ସମୟରେ କୋର୍ଟରେ ହାଜର ହେବା ଓ ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବାକୁ ସର୍ତ ରଖାଯାଇଛି । ଏହି ଘଟଣାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଅଭିଯୁକ୍ତ କନେଷ୍ଟବଳଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ମୁଦାଲାଙ୍କ ତରଫରୁ ବରିଷ୍ଠ ଆଇନ୍ଜୀବୀ ଦୀପକ ପଟ୍ଟନାୟକ, ଅସିତ ଶତପଥୀ ମକଦ୍ଦମା ପରିଚାଳନା କରିଥିଲେ ।