ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାରରେ ଜଣେ ଅନ୍ତେବାସୀ ପୁଣିଥରେ କରୋନା ପଜିଟିଭ ହୋଇଛନ୍ତି । ତେଣୁ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ଇନ୍ସିପେକ୍ଟରଙ୍କ ସମେତ ୮ଜଣ ପୋଲିସ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ହୋଇଛି । ଏହି ଘଟଣା ପ୍ରଚାରିତ ହେବାପରେ ପୋଲିସ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତ ୨୦୧୫ ଜାନୁୟାରୀ ମାସରେ ହୋଇଥିବା ଏକ ଡକାୟତି ମାମଲାରେ ୨ଜଣ ଅଭିଯୁକ୍ତ ଫେରାର୍ ଥିଲେ । ଉଭୟଙ୍କୁ ବଡ ବଜାର ଥାନା ପୋଲିସ ଗତ ୨୨ତାରିଖରେ ଗିରଫକରି କୋର୍ଟଚାଲାଣ କରିଥିଲା । କୋର୍ଟଚାଲାଣ ସମୟରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ କରୋନା ପରୀକ୍ଷା ପାଇଁ ସ୍ୱାବ୍ ସଂଗ୍ରହ କରାଯାଇଥିଲା ।
ଗତକାଲି ଉଭୟ ଅଭିଯୁକ୍ତଙ୍କ ରିପୋର୍ଟ ଆସିଥିଲା । ଜଣେ ଅଭିଯୁକ୍ତ କରୋନା ପଜିଟିଭ ଥିବା ସ୍ପଷ୍ଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଲିସକୁ ଖବର କରାଯାଇଥିଲା । ପଜିଟିଭ ଥିବା ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ନିଆଯାଇଛି । ସେପଟେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ପୋଲିସ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ବଡ ବଜାର ଥାନାଧିକାରୀଙ୍କ ସମେତ ୮ଜଣ ଆଜିଠାରୁ ଗୃହ ସଙ୍ଗରୋଧରେ ରହିଥିବା ସୂଚନା ଦିଆଯାଇଛି । ଏହା ସହିତ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ପୂର୍ବରୁ ଜରଡା, ଗୋଳନ୍ଥରା, ପୁରୁଷୋତ୍ତମପୁର ଥାନା ପୋଲିସ ବିଭିନ୍ନ ମାମଲାରେ କୋର୍ଟଚାଲାଣ କରିଥିବା ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିଥିଲା । ଏ ପର୍ଯ୍ୟନ୍ତ ମୋଟ ୧୦ଜଣ ଅଭିଯୁକ୍ତଙ୍କ ନମୁନା ପଜିଟିଭ ବାହାରିଥିବା ସୂଚନା ମିଳିଛି ।