-
ଭିଡ଼ ନିୟନ୍ତ୍ରଣ ପାଇଁ ୧୨ଟି ରାସ୍ତା ସିଲ୍
-
ସାହିକୁ ସାହି ଡ଼େଉଁଚି କରୋନା ପଜିଟିଭ୍
ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ରାପିଡ଼ି ରେସ୍ପନ୍ସଟିମ୍ ଚିକିତ୍ସା ନିମନ୍ତେ ଭର୍ତ୍ତି କରିବେ । ଲକ୍ଷଣ ସହ ଗ୍ରସ୍ତ ବିବରଣୀ ମିଳିଲେ ତାଙ୍କୁ ଶିତଳାପଲ୍ଲର କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯିବ । ଯଦି ଲକ୍ଷଣ ଥିବ ଏବଂ ଗ୍ରସ୍ତ ବିବରଣୀ ନଥିବ ତେବେ ତାଙ୍କୁ ପାଲୁରହିଲ୍ ବିଜୁ ଆଦର୍ଶ ବିଦ୍ୟାଳୟ କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ସ୍ୱାବ୍ ସଂଗ୍ରହକାରୀ ଦଳ ସେମାନଙ୍କ ସ୍ୱାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଆବଶ୍ୟକ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି । ବିଏମ୍ସି କମିଶନର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଏହାର ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରତ୍ୟେକ ଦିନ ଜିଲ୍ଲାପାଳଙ୍କୁ ଦେବେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରୁ କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ବହନ କରାଯିବ ବୋଲି ଜିଲ୍ଲାପାଳ ଦେଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଥିବା ଜଣାଯାଇଛି ।
ଗତ ବୁଧବାର ଦିନ ବ୍ରହ୍ମପୁର ସହରର ସଟ୍ଡ଼ାଉନର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତି ସିଂହ ରାଠୋର ଓ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ପ୍ରମୁଖ ସହରର ମୁଖ୍ୟ ଛକ ଗୁଡ଼ିକୁ ପାଦରେ ଚାଲି ଚାଲି ଅନୁଧ୍ୟାନ କରିଥିଲେ । ସେହି ସମୟରେ କିଛି ଅମାନିଆ ଦୋକାନ, ଗାଡ଼ି ଚାଳକ ଓ ଲୋକଙ୍କୁ ଦେଖି ବିରକ୍ତି ପ୍ରକାଶ କରିଥିଲେ । ଯେତେ ସଚେତନତା କରାଇଲେ ମଧ୍ୟ ଅମାନିଆମାନେ ସଚେତନ ହେଉ ନାହାନ୍ତି । ସହରରେ ଭିଡ଼ ନିୟନ୍ତ୍ରଣ କରିବା ସହିତ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଏମ୍ସି ତରଫରୁ ପୁଣି ସହରର ୧୨ ଟି ସାହିକୁ ସିଲ୍ କରାଯାଇଛି । ବୁଧବାର ରାତ୍ରଠାରୁ ଆରମ୍ଭ କରି ଗୁରୁବାର ପର୍ଯ୍ୟନ୍ତ କମାପଲ୍ଲୀ, ଅନ୍ନପୂର୍ଣ୍ଣା ବଜାର ଛକ, ଲୋହିୟା ବର୍ଦସ ଛକ, ୱାନ୍ୱେ ଟ୍ରାଫିକ ରୋଡ଼, ଗିରିମାର୍କେଟ ଛକ, ସାନବଜାର,ଖାସ୍ପା ସାହି ଓ ହରିଡ଼ାଖଣ୍ଡି ଶିବ ମନ୍ଦିର ଛକ, ପାଣି ମନ୍ଦିର ଛକ, ରାମନଗର ବାଇପାସ୍, ଶ୍ରୀରାମନଗର ଛକ ଓ ତାଲୁକା ହସ୍ପିଟାଲ ଛକ ଏଭଳି ୧୨ଟି ଛକକୁ ସିଲ୍ କରାଯାଇଥିବା ନେଇ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସୂଚନା ଦେଇଛନ୍ତି । ରାସ୍ତା ସିଲ୍ ହେବା ଦ୍ୱାରା ଲୋକେ ଏଣେତେଣେ ବୁଲି ପାରିବେ ନାହିଁ । ଅମାନିଆ ବାଇକ ଚାଳକ ଆଉ ବାହାରକୁ ବାହାରି ପାରିବେ ନାହିଁ । ମୁଖ୍ୟ ରାସ୍ତାରେ ପୁଲିସ ଜଗି ରହିଥିବା ବେଳେ ସାହି ରାସ୍ତା ଗୁଡ଼ିକୁ ସିଲ୍ କରାଯିବା ଫଳରେ ବିନା କାରଣରେ ଯିଏ ବାହାରକୁ ବାହାରିବ ପୁଲିସ ହାବୁଡ଼େ ପଡ଼ିବ ବୋଲି ଜଣାପଡ଼ିଛି ।