ନୂଆଦିଲ୍ଲୀ– ଜମ୍ମୁ କଶ୍ମୀରର ସୋପୋରରେ ପୁଣି ଥରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଚାଲିଛି । ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ଜାରୀ ରହିଛି । ସୁରକ୍ଷା ବାହିନୀର ଏନକାଉଣ୍ଟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ ।
ହର୍ଦ୍ଦସିଭା ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଘଟଣା ସ୍ଥଳରେ ସୋପୋର ପୋଲିସ, ୨୨ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫ ଯବାନମାନେ ଏକକାଳୀନ ଚଢ଼ାଉ କରିଥିଲେ । ଏଠାରେ ଏନକାଉଣ୍ଟ ଆରମ୍ଭ ହେବା ପରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଏହା ପୂର୍ବରୁ ସୁରକ୍ଷା ବାହିନୀର ଯବାନମାନେ ଗତ ଜୁନ ୨୩ ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । କଶ୍ମୀର ଜୋନର ଆଇଜି ବିଜୟ କୁମାର କହିଥିଲେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସେହିପରି ବଡ଼ଗାମ ପୋଲିସ ଓ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଆତଙ୍କବାଦୀମାନେ ନରବାଲ ଅଂଚଳରେ ବୁଲୁଥିଲେ । ସର୍ଚ୍ଚ ଅପରେଶନ ସମୟରେ ଏମାନେ ଗିରଫ ହୋଇଛନ୍ତି । ଇମ୍ରାନ ରସିଦ, ଇଫସାନ ଅହମଦ ଗନୀ, ୱାଇସ ଅହମଦ, ମୋହସିନ କ୍ୱାଦିର ଓ ଅବିଦ ରାଥର ନାମରେ ଆତଙ୍କବାଦୀମାନଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ ହୋଇଛି ।