ପୁରୀ– ଆଜି ଶ୍ରୀମନ୍ଦିର ସେବାୟତଙ୍କର ଦ୍ବିତୀୟ ପର୍ଯ୍ୟାୟ କୋଭିଡ଼୍ ଟେଷ୍ଟ କରାଯିବ । ସୁଆର ମହାସୁଆର ନିଯୋଗର ଏହି ଟେଷ୍ଟ କରାଯିବ । ଏପରିକି ପୁଷ୍ପାଳକ ନିଯୋଗ, ବିମାନବଡୁ ନିଯୋଗର ମଧ୍ୟ କୋଭିଡ଼୍ ଟେଷ୍ଟ ହେବ । ପୋଲିସ ଓ ସଫେଇ କର୍ମଚାରୀଙ୍କ ମଧ୍ୟ ଟେଷ୍ଟ କରାଯିବ । ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ ପରେ ପୁରୀ ସେବାୟତଙ୍କ ଡବଲ୍ ଟେଷ୍ଟ କରାଯିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି ।
ସହରର ତିନୋଟି ସ୍ଥାନରେ କୋଭିଡ଼୍ ଟେଷ୍ଟ କରାଯିବାକୁ ନିଷ୍ପତି ହୋଇଛି । ଉତ୍କଳ ହିନ୍ଦୀ ବିଦ୍ୟାପୀଠ, ବାଗିଡ଼ିଆ ଧର୍ମଶାଳା ଏବଂ ମାର୍କଣ୍ଡେଶ୍ୱର ଗାର୍ଲସ ହାଇସ୍କୁଲରେ ଏହି କୋଭିଡ଼୍ ଟେଷ୍ଟ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀ ସର୍କିଟ୍ ହାଉସ୍ରେ ଗତକାଲି ରଥଯାତ୍ରା ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଅଧିକ ସେବାୟତଙ୍କର କିପରି କରୋନା ଟେଷ୍ଟ କରାଯିବ । ସେନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକ ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରଥଯାତ୍ରାରେ ସାମିଲ୍ ୫ ହଜାର ବ୍ୟକ୍ତିବିଶେଷଙ୍କର କୋଭିଡ଼୍ ଟେଷ୍ଟ କରାଯିବ । ସେବାୟତଙ୍କ ବ୍ୟତୀତ ପୋଲିସ, ସଫେଇ କର୍ମଚାରୀଙ୍କ ମଧ୍ୟ କୋଭିଡ଼୍ ଟେଷ୍ଟ କରାଯିବ । ଅଢ଼େଇ ହଜାର ସେବାୟତଙ୍କର ଦୁଇ ଥର କୋଭିଡ଼୍ ଟେଷ୍ଟ କରାଯିବ । ଆସନ୍ତା ୨୮ ତାରିଖରେ ରଥ ଦକ୍ଷିଣ ମୋଡ ହେବା ପୂର୍ବରୁ ଏହି କୋଭିଡ଼୍ ଟେଷ୍ଟ ପ୍ରକ୍ରିୟା ଶେଷ ହେବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେହିମାନେ ହିଁ କେବଳ ରଥଯାତ୍ରାରେ ସାମିଲ୍ ହେବେ ।
ଏହା ବ୍ୟତୀତ ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ । ସେବାୟତଙ୍କ ପରିବାର ସଦସ୍ୟଙ୍କୁ କରୋନା ବାବଦରେ ସଚେତନ କରାଯିବା ସହିତ କୋଭିଡ଼୍ ନିୟମ ସମ୍ପର୍କରେ ଅବଗତ କରାଯିବ । କୋଭିଡ଼୍ ନିୟମ ସମ୍ପର୍କରେ ସେମାନଙ୍କୁ ଅବଗତ କରିବା ନିମନ୍ତେ ଟିମ୍ ଗଠନ କରାଯିବ । ସେହିପରି ରଥଯାତ୍ରା ପାଇଁ ଆଉ ୫ ହଜାର ମାସ୍କ ମଗାଯାଇଥିବା ନେଇ ସେ ସୂଚନା ଦେଇଥିଲେ ।