-
ଜି. ମାଥିଭାଥାନନ୍ ଙ୍କ ସମୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ନେଇ ସାରା ରାଜ୍ୟରେ ନଜର ରହିଛି । ଓଡିଶାର ଏହି ବୃହତ୍ତମ ଜିଲ୍ଲାର କୋଭିଡ୍ ପରିଚାଳନା ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ନୋଡାଲ ପ୍ରଶାସନିକ ଅଧିକାରୀ ପ୍ରମୁଖ ଶାସନ ସଚ୍ଚିବ ଜି. ମାଥି ଭାଥାନନ୍ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ୧୯ ପରିଚାଳନାଗତ ସମସ୍ତ ତଥ୍ୟ ସମୀକ୍ଷା ବୈଠକରେ ଉପସ୍ଥାପନ କରିଥିଲେ । ଜିଲ୍ଲାରେ କୋଭିଡ୍ କୁ ନେଇ ଆଜିର ଅବସ୍ଥା କଣ ରହିଛି ଏବଂ କୋଭିଡ୍ ପରିଚାଳନାଗତ ସୃଷ୍ଟି ହେଉଥିବା ସମସ୍ୟାକୁ କିପରି ପରିଚାଳନା କରାଗଲେ ଏହି ରୋଗ ସଂକ୍ରମଣକୁ ରୋକାଯାଇ ପାରିବ ସେଥି ସକାଶେ ଉପସ୍ଥିତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏଯାବତ୍ ଗଞ୍ଜାମ ଜିଲ୍ଲାକୁ ସମୁଦାୟ ୨୨୭ ଗୋଟି ଟ୍ରେନ୍ ରେ ୧୨୭୨୩୪ ଜଣ, ବସ୍ ଯୋଗେ ୪୪୩୮୨ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାରେ ୪୫୨୦୪ ଜଣ ଏହିପରି ସମୁଦାୟ ୨୧୬୮୨୦ ଜଣ ପ୍ରବାସୀ ଫେରିଛନ୍ତି । ସମସ୍ତଙ୍କର ସ୍ବାସ୍ଥ୍ୟ ଯାଂଚ୍ କରାଯାଇ ୧୩୭୫୪ ଜଣଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିଲା । ଏ ଯାବତ୍ ୧୨୩୦୬ ଜଣଙ୍କ ସାମ୍ପଲ ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ୧୦୩୦ ଜଣଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି ସେମାନଙ୍କୁ ସ୍ବାସ୍ଥ୍ୟ ଚିକିତ୍ସା ପରେ ୭୨୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୯୩ ଗୋଟି ଆକ୍ଟିଭ୍ କେସ୍ ରହିଛି ଏବଂ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲାପାଳ ଅବଗତ କରାଇଥିଲେ । ଘରକୁ ଘର ବୁଲି କୋଭିଡ୍ ଟେଷ୍ଟ କରାଯାଇଛି ଏବଂ ଆଗାମୀ ଦିନରେ ଆହୁରି କରାଯିବ । କୋଭିଡ୍ ପରିଚାଳନା ବେଳେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧାମାନଙ୍କ ଠାରେ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ନୋଡାଲ୍ ଅଧିକାରୀ ଶ୍ରୀ ମାଥାନନ୍ ଙ୍କୁ ଜଣାଇ ଏହାର ପ୍ରତିକାର ସ୍ବରୂପ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଆଇନ୍ ଶୃଙ୍ଖଳା ପରିଚାଳନା ଦିଗରେ ପୋଲିସ୍ କୋଭିଡ୍ ଯୋଦ୍ଧା ମାନଙ୍କର ଭୂମିକା ସମ୍ପର୍କରେ ଉଭୟ ବ୍ରହ୍ମପୁର ଏବଂ ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ଅବଗତ କରାଇ ଏହାର ପରିଚାଳନାଗତ ସମସ୍ୟାକୁ କିପରି କରାଗଲେ ଜିଲ୍ଲାରେ କୋଭିଡ୍ ର ବୃଦ୍ଧିକୁ ରୋକାଯାଇ ପାରିବ ତାହା ଆଲୋଚନା କରିଥିଲେ । ଗ୍ରାମପଞ୍ଚାୟତ ସ୍ତରରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇ କାର୍ଯ୍ୟର ପରିଚାଳନା ହେଉଥିବା ଅବଗତ କରାଯାଇଥିଲା । ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚ୍ଚିବ ଅଜିତ ମହାନ୍ତି ଉପସ୍ଥିତ ରହି କୋଭିଡ୍ ର ପରିଚାଳନାଗତ ସମସ୍ୟାର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ ।
କୋଭିଡ୍ ପରିଚାଳନା ସକାଶେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଅଧିକାରୀ ଓ କର୍ମଚାରୀ ମାନଙ୍କର ମଧୁମେହ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟଜନିତ ସମସ୍ୟା ରହିଛି । ତେଣୁ ଏହାର ପ୍ରତିକାର ସକାଶେ ରୋଟେସନ୍ ପ୍ରକାରେ ଜଣେ ତିନିଦିନ କାର୍ଯ୍ୟ କରିବେ ଏବଂ ଚତୁର୍ଥ ଦିନ ବିଶ୍ରାମ ନେବେ, ତାଙ୍କ ସ୍ଥାନରେ ଅନ୍ୟ ଅଧିକାରୀ ବା କର୍ମଚାରୀ ଦାୟିତ୍ବ ବହନ କରିବେ । ଏହା କରାଗଲେ କୋଭିଡ୍ ଯୋଦ୍ଧାଗଣଙ୍କ ସ୍ବାସ୍ଥ୍ୟର ଯତ୍ନ ସମ୍ଭବହେବ ବୋଲି ସ୍ବତନ୍ତ୍ର ସଚ୍ଚିବ ଶ୍ରୀ ମାଥି ଭାଥାନନ୍ ଜଣାଇଥିଲେ ।
ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକୀ ମିଶ୍ର, ଛତ୍ରପୁର ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ୍ କୁମାର ରଏ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଏବଂ କୋଭିଡ୍ ସଂପୃକ୍ତ ବିଭାଗୀୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ ।