![](https://indokalingtimes.com/wp-content/uploads/2020/06/ikt.jpeg)
-
ଆଜିଠାରୁ ଜିଲ୍ଲାରେ ୩ଟି ବ୍ୟବସ୍ଥା ଲାଗୁ: ଜିଲ୍ଲାପାଳ
ବ୍ରହ୍ମପୁର:୧୯ ଘଣ୍ଟିଆ ସଟ୍ଡ଼ାଉନକୁ ବ୍ରହ୍ମପୁର ସହରବାସୀ କିପରି ପାଳନ କରୁଛନ୍ତି ଓ କୋଭିଡ଼-୧୯ ନିୟମକୁ କିପରି ପାଳନ କରୁଛନ୍ତି ତାହାର ପାଦରେ ଚାଲି ତଦାରଖ କରି ଦେଖିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବୁଧବାର ସକାଳ ୮ଟା ବେଳେ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ନେଇ ଗିରିଜାଛକଠାରୁ ପାଦରେ ଚାଲି ଚାଲି ସହରର ବିଭିନ୍ନ ଅଞ୍ଚଳ ତଥା ଅନ୍ନପୂର୍ଣ୍ଣ ବଜାର, ପୁରୁଣା ବସ୍ଷ୍ଟାଣ୍ଡ, ସୁବାରାଓ ଛକ, ଟାଟାବେଞ୍ଜ ଛକ, କମାପଲ୍ଲୀ, ଗିରିରୋଡ଼, ବିଜିପୁର ଆଦି ଅଞ୍ଚଳ ବୁଲି ଅମାନିଆ ଗାଡ଼ି ଚାଳକଙ୍କୁ ତାଗିଦ କରିବା ସହ ଅଯଥାରେ ଭିଡ଼ ଜମାଉଥିବା ଲୋକଙ୍କୁ ସଚେତନତା କରାଇଥିଲେ ।
ସହରରେ ଏବେ କରୋନା ଯୋଦ୍ଧା ଓ କିଛି ବ୍ୟବସାୟୀଙ୍କ ଦେହରେ କରୋନା ପଜିଟିଭ ବାହାରିବା ପରେ ଲୋକେ ସଚେତନତା ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଗତ ୫ଦିନ ମଧ୍ୟରେ ବିଏମ୍ସି ଅଞ୍ଚଳରେ ପ୍ରାୟ କୋଭିଡ଼ ନିୟମ ଭାଙ୍ଗି ଦୋକାନ ଖୋଲିଥିବା ୫ଶହରୁ ଉର୍ଦ୍ଧ୍ୱ ଦୋକାନୀକୁ ସିଲ୍ କରାଯାଇଛି । ହେଲେ ବି ଅମାନିଆମାନେ ନିୟମ ମାନୁନଥିବାରୁ ବିଏମ୍ସିର ଚିନ୍ତା ବଢ଼ିଯାଇଛି ।
ବୁଧବାରଠାରୁ ଜିଲ୍ଲାରେ ତ୍ରିପଲ ଟି ନିୟମ ପାଳନ କରାଯିବ । ଟ୍ରେସ୍, ଟେଷ୍ଟ ଓ ଟ୍ରିଟ୍ମେଣ୍ଟକୁ ଘରକୁ ଘର ବୁଲି ଡ଼ାକ୍ତର, ଆଶା ଓ ଏଏନ୍ଏମ୍ ଦିଦି କାର୍ଯ୍ୟ ଆରମ୍ଭ କରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେଣୁ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ନିଜସ୍ୱ ଆଡ଼ୁ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ସୂଚନା ଦିଅନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।