
ବ୍ରହ୍ମପୁର : କରୋନା କବଳରେ ଗଞ୍ଜାମର କରୋନା ଯୋଦ୍ଧା । ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ଅଢ଼େଇ ଲକ୍ଷରୁ ଉଦ୍ଧ୍ୱ୍ୱର୍ ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରିଛନ୍ତି । ଏମାନଙ୍କୁ ସଂଗରୋଧ ଗୃହରେ ରଖି ସେବା କରି ସୁସ୍ଥ କରି ଘରକୁ ଫେରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧା ଏବେ କରୋନା ଭୂତାଣୁ ସଂକ୍ରମଣରେ । ଗତ ୭ଦିନ ମଧ୍ୟରେ ୬୩ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାରେ ଅଧିକାରୀଙ୍କ ମଧ୍ୟରେ ଭୟର ଭାଳେଣି ପଡ଼ିଛି । ସେପଟେ ଜିଲ୍ଲାପାଳ କରୋନା ଯୋଦ୍ଧାଙ୍କ ଆଶୁ ଆରଗ୍ୟ କାମନା କରି ସୁସ୍ଥ ହୋଇ ଖୁବ୍ ଶୀଘ୍ର ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରୁଥିବା କହିଛନ୍ତି । ଲୋକଙ୍କୁ ସେବା ଯୋଗାଇବା ସହ କରୋନା ମୁକାବିଲା ଦିଗରେ ସଚେତନ କରାଇଥିବା ଅଧିକାରୀ ଆଜି କରୋନା ପଜିଟିଭ । ତେଣୁ ସମସ୍ତେ ସଚେତନତା ହୋଇ କରୋନା ମୁକାବିଲା କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ବିଶେଷ କରି ବିଭିନ୍ନ ସଂଗରୋଧ ଗୃହରେ ସେବା ଯୋଗାଉଥିବା କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ଜୁନ୍ ୧୭ରେ ୧୩, ୧୮ରେ ୧୨, ୧୯ ରେ ୬, ଜୁନ୍ ୨୦ରେ ୧୦, ୨୧ରେ ୨, ୨୨ ରେ ୬, ୨୩ ରେ ୧୪ଜଣ କୋଭିଡ଼ ଯୋଦ୍ଧା କରୋନା ପଜିଟିଭ ବୋଲି ସୂଚନା ମିଳିଛି । ଏସବୁ ଘଟଣା ପରେ ବୁଧବାରଠାରୁ ପରବତ୍ତି ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ ଜନସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି । ସରକାରୀ ଅଫିସର ବରିଷ୍ଠ ଅଧିକାରୀମାନେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଯାଉଥିବାରୁ ଜିଲ୍ଲାପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ଆସନ୍ତା ୩୦ ତାରିଖ ଯାଏଁ ଗଞ୍ଜାମରେ କଟକଣା କଡ଼ାକଡ଼ି କରାଯାଇଛି । ଶନିବାର ଓ ରବିବାର ସଟ୍ଡ଼ାଉନ ସମେତ ସୋମବାରରୁ ଶୁକ୍ରବାର କେବଳ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିରାଣୀ, ଔଷଧ, ଫଳ ଓ ପନିପରିବା,କୃଷି ଜାତ ସାମଗ୍ରୀ ଦୋକାନ ଓ ଗୃହ ନିର୍ମାଣ ସାମଗ୍ରୀ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରିରହିଛି ।