ଲକ୍ଷ୍ନୌ– ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ଜୁନ ୨୬ରେ ଏକକାଳୀନ କୋଟିଏ ଲୋକଙ୍କୁ ରୋଜଗାର ଦେବେ । ଉତ୍ତର ପ୍ରଦେଶ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ଭିଡିଓ ବାର୍ତ୍ତା ଜରିଆରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ କେବଳ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମିଳିବା ସହ ଏମଏସଏମଇ ପାଇଁ ଋଣ ମଧ୍ୟ ଦିଆଯିବ । ଏଥି ସହିତ ଉତ୍ତରପ୍ରଦେଶ ଏତେ ବଡ଼ ସଂଖ୍ୟାରେ ରୋଜଗାର ଦେବାରେ ପ୍ରଥମ ରାଜ୍ୟ ହେବ ।
ରାଜ୍ୟକୁ ବଡ଼ ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଆଗମନ ହୋଇଛି । କରୋନା ସଂକଟ କାଳରେ ୩୬ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ଯୋଗୀ ସରକାର ଏଯାଏଁ ବଡ଼ ସଂଖ୍ୟାରେ ରୋଜଗାର ସୃଷ୍ଟି କରିଛନ୍ତି । ଏହି ସଂଖ୍ୟା ଜୁନ ୨୧ ଯାଏଁ ୧ କୋଟି ହେବ । ଯୋଗୀ ସରକାର ଏହି ଶ୍ରମିକମାନଙ୍କୁ ଏମଏସଏମଇ, ଏକ୍ସପ୍ରେସ ୱେ, ଜାତୀୟ ରାଜପଥ, ୟୁପିଡା, ମନରେଗା ଭଳି ସେକ୍ଟରରେ ରୋଜଗାର ଦେବ । ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲାରେ ଏହି ଅଭିଯାନ ଚାଲିବ ।
ଏହି ରୋଜଗାର ଅଭିଯାନରେ ରାଜ୍ୟର ଗୋଣ୍ଡା, ବଳରାମପୁର, ଆମ୍ବେଦକର ନଗର, ଆମେଥୀ, ଅଯୋଧ୍ୟା, ଆଜମଗଡ଼, ବହରାଇଚ, ବାନ୍ଦ୍ରା, ବସ୍ତି, ଦେବରିଆ, ଫତେପୁର, ଗାଜିପୁର, ଗୋରଖପୁର, ହରଦୋଇ, ଜାଲୌନ, ଜୌନପୁର, କୌଶମ୍ବି, ଖିରୀ, କୁଶୀନଗର, ମହାରାଜଗଂଜ, ମିର୍ଜାପୁର, ପ୍ରତାପଗଡ଼, ପ୍ରାୟଗରାଜ, ରାୟବରେଲି, ସନ୍ଥକବୀର ନଗର, ଶ୍ରାବସ୍ତି, ସିଦ୍ଧାର୍ଥନଗର, ସୀତାପୁର, ସୁଲତାନପୁର, ଉନ୍ନାଓ ଓ ବାରାଣସୀ ଜିଲ୍ଲା ସାମିଲ ଅଛି ।