ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ ‘ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତଇବା’ର ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରିଥିବା ଜଣା ପଡିବା ପରେ ଦିଲ୍ଲୀ ପୋଲିସକୁ ଆଲର୍ଟ କରାଯାଇଛି । ଏହା ଦ୍ବାରା ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦେଖାଯାଇଛି । ମହାନଗରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି । ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ର ଅଛି । ଦିଲ୍ଲୀ ପୋଲିସ ଅନ୍ତର୍ଗତ ସମସ୍ତ ଅତିଥି ଭବନ, ହୋଟେଲ, କଶ୍ମୀର ନମ୍ବର ଥିବା ଯାନବାହନ ତଲାସୀ କରାଯାଉଛି । ଦିଲ୍ଲୀର ସମସ୍ତ ଜିଲ୍ଲା ଡିସିପି, ସ୍ପେଶାଲ ସେଲ କ୍ରାଇମ ବ୍ରାଞ୍ଚ ଓ ଅନ୍ୟ ୟୁନିଟକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଦିଲ୍ଲୀ ପୋଲିସ ଦିଲ୍ଲୀର ଘର ମାଲିକମାନଙ୍କୁ ଅପିଲ କରିଛି ଯେ, ଏବେ କୌଣସି ନୂତନ ଲୋକଙ୍କୁ ଘର ଭଡ଼ା ଦେବା ପୂର୍ବରୁ ପ୍ରଥମେ ସଂପୃକ୍ତ ବ୍ୟକ୍ତିମାନଙ୍କର ତଥ୍ୟ ରଖନ୍ତୁ । ବସ ଷ୍ଟେସନ ଓ ରେଳ ଷ୍ଟେସନରେ ମଧ୍ୟ ତଦନ୍ତ ଚାଲିଛି । ଦିଲ୍ଲୀ ପୋଲିସର ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ଦିଲ୍ଲୀ-ଏନସିଆରକୁ ଟାର୍ଗେଟ କରିପାରନ୍ତି । ସୂତ୍ର ଅନୁସାରେ ଆତଙ୍କବାଦୀମାନେ କାର, ଟ୍ୟାକ୍ସି ଅଥବା ବସ ଜରିଆରେ ଜମ୍ମୁ କଶ୍ମୀରରୁ ଦିଲ୍ଲୀ ପ୍ରବେଶ କରିଛନ୍ତି । ଦିଲ୍ଲୀର ବାହାର ଉତ୍ତର ଜିଲ୍ଲା ଅଂଚଳରେ ବିଶେଷ ଭାବେ ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ଗତ ୧୧ ତାରିଖଷର ଟେରର ଷ୍ଟ୍ରାଇକ ପୂର୍ବରୁ କଥିତ ଭାବେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଧରାପଡ଼ିଥିବା ଆତଙ୍କବାଦୀମାନେ ହେଲେ ଖୱାଜ ମୋଇନୁଦ୍ଦୀନ (୫୨), ସୟଦ ଅଲି ନୱାଜ (୩୨) ଓ ଅବଦ୍ଦୁଲ ସମଦ ଓରଫ ନୂର (୨୮) । ଏମାନେ ତାମିଲନାଡୁ ନିବାସୀ ଥିଲେ । ଏମାନଙ୍କୁ ଦିଲ୍ଲୀକୁ ପଠାଯାଇଥିଲା । ସେମାନଙ୍କୁ ଟାର୍ଗେଟ ମଧ୍ୟ ଦିଆଯାଇଥିଲା । କେବେ କ’ଣ କରିବେ ସେଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଥିଲା । ଏମାନଙ୍କର ଅନ୍ୟ ଜଣେ ସାଥୀକୁ ଗୁଜୁରାଟ ପୋଲିସ ଧରିଥିଲା ।