-
ଆଜିଠୁ କଲମ ଛାଡ ଆନ୍ଦୋଳନରୁ ଓହରିବେ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ
ବ୍ରହ୍ମପୁର: ଗତ ୨ଦିନଧରି ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଦେଇଥିବା କଲମ ଛାଡ ଆନ୍ଦୋଳନର ଆପୋଶ ସମାଧାନ ହୋଇଥିବା ବିଶେଷସୂତ୍ରରୁ ଜଣାପଡିଛି । ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାକୁ ନେଇ କିଛିଦିନତଳେ ପୋଲିସ ଓ ସ୍ଥାନୀୟ ପ୍ରଶାସନ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ମନମାଳିନ ରବିବାର ସନ୍ଧ୍ୟାରେ ସମାଧାନ ହୋଇଛି । ପୋଲିସ ପକ୍ଷରୁ ଏସ୍ପି ପିନାକ ମିଶ୍ର ଓ କର୍ମଚାରୀଙ୍କ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ମଧ୍ୟରେ ଆଲୋଚନା ହୋଇ ସହର ତଥା ବ୍ରହ୍ମପୁର ଉପଖଣ୍ଡସ୍ତରରେ କିପରି ମିଳିମିଶି କରୋନା ମୁକାବିଲା କରିବା ସେନେଇ ରୂପରେଖ ପ୍ରସ୍ତୁତ ହେବାପରେ ୨ବିଭାଗର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ମନମାଳିନର ଅବସାନ ଘଟିଛି । ୨ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ସୂଚନାଥାଉକି, ଗତ ୨ଦିନ ତଳେ ଟାଟାବେଞ୍ଜ ଛକରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ହାବୁଡରେ ଜଣେ ପୋଲିସ କର୍ମଚାରୀ ହେଲ୍ମେଟ ଓ ମାସ୍କ ନ ପିନ୍ଧି ପଡିଥିଲେ । ଉପଜିଲ୍ଲାପାଳ ତାଙ୍କ ଠାରୁ ୨୦୦ଟଙ୍କା ଜୋରିମାନା ଆଦାୟ କରିବାକୁ ବ୍ରହ୍ମପୁର ତହସିଲଦାରଙ୍କୁ କହିଥିଲେ । ସେହିଦିନ ଠାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା । ଶୁକ୍ରବାର ରାତ୍ର ୮ଟା ସମୟରେ ଉପଜିଲ୍ଲାପାଳଙ୍କ ସରକାରୀ ଗାଡି ଚଳାଉଥିବା ଡ୍ରାଇଭର ଉପଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରେ ଛାଡି ନିଜ ଘରକୁ ଫେରୁଥିବା ବେଳେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ କମାପଲ୍ଲୀ ଛକ ଠାରେ କରାଯାଉଥିବା ଯାଞ୍ଚ ବେଳେ ଧରାପଡିଥିଲେ । ଡ୍ରାଇଭରଜଣକ ନିଜ ପରିଚୟ ଦେବାସହ ତାଙ୍କ ସରକାରୀ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ବୈଦ୍ୟନାଥପୁର ପୋଲିସ ତାଙ୍କୁ ଜୋରିମାନା ଦେବାକୁ ବାଧ୍ୟ କରିବା ସହ ପ୍ରାୟ ୧ଘଣ୍ଟା ଅଟକ ରଖିଥିଲେ । ଡ୍ରାଇଭରଙ୍କ ଠାରୁ ଖବରପାଇ ଉପଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କମାପଲ୍ଲୀରେ ପହଞ୍ôଚଥିଲେ । ପରେ ଉପଜିଲ୍ଲାପା ଟାଉନ୍ ଏସ୍ଡିପିଓଙ୍କୁ ଘଟଣା ବିଷୟରେ କହିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡ୍ରାଇଭରଜଣକ ଜୋରିମାନା ଦେବାକୁ ରାଜି ହୋଇଥିଲେ ମଧ୍ୟ ପୋଲିସ ଜୋରିମାନା ନଦେଇ ତାଙ୍କୁ ଛାଡିଥିଲା । ତେବେ ଘଟଣାଟି ବ୍ରହ୍ମପୁର ଏସ୍ପି ଓ ଜିଲ୍ଲାପାଳ, ପୋଲିସ ଡିଆଇଜିଙ୍କ ପାଖରେ ପହଞ୍ôଚଥିଲା । ତେବେ କରୋନା ଭଳି ମହାମାରୀ ପରିସ୍ଥିତିରେ ଅଧିକାରୀଙ୍କ ମଧ୍ୟରେ ଏଭଳି ମନୋଭାବକୁ ନାପସନ୍ଦକରି ନିଜ ନିଜ ଭିତରେ ସମନ୍ୱୟ ରକ୍ଷାକରି କରୋନା ମୁକାବିଲା କରନ୍ତୁ ବୋଲି ନିଜ ନିଜ ବିଭାଗ ଅଧିକାରୀମାନଙ୍କୁ ପ୍ରଶାସନିକ ଓ ପୋଲିସ ମୁଖ୍ୟାମାନେ ଅଲିଖିତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାପରେ ପୁଣି ଶନିବାର ସକାଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନାଜିରି ନିଜ ଘରୁ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଟାଟାବେଞ୍ଜ ଛକରେ ଗାଡି ଯାଞ୍ଚ କରୁଥିବା ବୈଦ୍ୟନାଥପୁର ପୋଲିସ ପୁଣି ତାଙ୍କୁ ଅଟକାଇ କୁଆଡେ ର୍ଦୁବ୍ୟବହାର କରିଥିଲା । ପରେ ଏହି ଘଟଣାକୁ ନେଇ ଉପଜିଲ୍ଲାପାଳ ଓ ତହସିଲ ଅଫିସ୍ର ସମସ୍ତ କର୍ମଚାରୀ କଲମ ଛାଡ କରିଲେ ବୋଲି ଉପଜିଲ୍ଲାପାଳଙ୍କୁୂ ଲିଖିତ ଆକାରରେ ଜଣାଇଥିଲେ । ତେବେ ଏହି ଘଟଣାଟି ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିବା ଜଣାପଡିଛି । ସୋମବାର ଠାରୁ ନିଜ ନିଜ କାର୍ଯ୍ୟାଳୟରେ ତହସିଲ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେବା ସହ କଲମ ଛାଡ ଆନ୍ଦୋଳନରୁ ଓହରିଲେ ବୋଲି ଲିଖିତ ଆକାରରେ ଉପଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ଶୁଣିବାକୁ ମିଳୁଛି ।