ଭୁବନେଶ୍ୱର– ଆଜି ଆଷାଢ଼ ମାସ କୃଷ୍ଣ ଅମାବାସ୍ୟା ତିଥିରେ ରାହୁଗ୍ରସ୍ତ କଙ୍କଣ ଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହୋଇଛି । ତେବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବାରୁ ଲୋକେ ଏହି ମହାଜାଗତିକ ଦୃଶ୍ୟ ଦେଖିବାରୁ ସମ୍ପୂର୍ଣ୍ଣ ବଂଚିତ ରହିଛନ୍ତି ।
ଏହି ପରାଗ କାଳର ଅବଧି ୪ ଘଂଟା ୩୧ ମିନିଟ୍ ୨୬ ସେକେଣ୍ଡ ରହିବ ବୋଲି ପୂର୍ବରୁ ପାଞ୍ଜିରେ ଗଣନା କରାଯାଇଛି । ସେହିପରି ପରାଗ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍ ୨୦ ସେକେଣ୍ଡରେ ହେବ । ପରାଗ ମଧ୍ୟକାଳ ଦିବା ୧୨ଟା ୨୬ ମିନିଟ୍ ୧୧ ସେକେଣ୍ଡ ଏବଂ ପରାଗ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍ ୪୦ ସେକେଣ୍ଡରେ ହେବ । ପରାଗ ସ୍ପର୍ଶର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ପୂର୍ବଦିନ ଶନିବାର ରାତି ୧୦ଟା ୩୮ ମିନିଟ୍ ୨୦ ସେକେଣ୍ଡ ଠାରୁ ପାକ ତ୍ୟାଗ, ଦେବନୀତି ଓ ଅନ୍ନଭୋଜନ ନିଷିଦ୍ଧ କରାଯାଇଛି । ପରାଗ ସର୍ବମୋକ୍ଷ ପରେ ଅର୍ଥାତ୍ ଦିବା ୨ଟା ୯ ମିନିଟ୍ ୪୦ ସେକେଣ୍ଡ ପରେ ମହାସ୍ନାନ କରାଇ ଦେବତାଙ୍କର ଦେବନୀତି କରଣୀୟ । ତାହାକୁ ଆଧାର କରି ରାଜ୍ୟର ସମସ୍ତ ଦେବାଳୟ ଓ ଘରେ ଦେବନୀତି ପାଳନ କରାଯାଇଛି ।
ସେହିପରି ଓଡ଼ିଶାରେ ସୂର୍ଯ୍ୟପରାଗ ନେଇ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନିଟୋରିୟମ୍ ସୂତ୍ରରୁ ପ୍ରାପ୍ତ ସୂଚନା ମୁକାବକ, ଦିନ ୧୦ଟା ୩୮ ରୁ ପରାଗ ସ୍ପର୍ଶ, ଅପରାହ୍ନ ୨ଟା ୯ରେ ସର୍ବମୋକ୍ଷ । ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ୫ରୁ ୭ ମିନିଟ୍ ଫରକ୍ ରହିବ । ୧୨ଟା ୧୫ରୁ ୧୨ ଟା ୩୦ ମଧ୍ୟରେ ସର୍ବାଧିକ ଅଂଶ ଦୃଶ୍ୟମାନ ହେବ । ଭୁବନେଶ୍ୱରରେ ୧୨ଟା ୨୬ ରେ ସର୍ବାଧିକ ୬୫% ଦୃଶ୍ୟମାନ ହେବ । ପ୍ଲାନିଟୋରିୟମ୍ ପକ୍ଷରୁ ଖାଲି ଆଖିରେ ଏହି ଦୃଶ୍ୟକୁ ନଦେଖିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।