ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮ କୁ ବୃଦ୍ଧି ପାଇଛି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ କ୍ୱାରେଂଟାଇନ ସେଂଟରର ରହିଥିବା ବେଳେ ଦୁଇଟି ଗାଁରୁ ଆକ୍ଟିଭ୍ ସର୍ଭେଲାନ୍ସରୁ ଦୁଇଟି କେସ୍ ରହିଛି । ଏବଂ ଆଉ ଏକ କେସ୍ କଂଟେନମେଂଟ ଜୋନ୍ ରୁ ଆସିଛି । ନମୂନା ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼ ୍କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡ଼ିଓ ବାର୍ତା ଯୋଗେ ସୂଚନା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ଏକ ବିଜ୍ଞପ୍ତି ଯୋଗେ ଏନେଇ ଅଧିକ ସୂଚନା ରଖି କୁହାଯାଇଛି ଯେ, ଗତ ୧୬, ୧୭ ଓ ୧୮ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ନୂଆ ଚିହ୍ନଟ ୪୭ ଜଣଙ୍କ ମଧ୍ୟରେ ୪୬ ଜଣଙ୍କର ଯାତ୍ରା ବିବରଣୀ ରହିଛି । କେବଳ ଗୋଟିଏ କେସ୍ ଲୋକାଲ କମ୍ୟୁନିଟିରୁ ରହିଥିବା ଜଣାପଡିଛି । ତାଙ୍କର ଲକ୍ଷଣ ରହିଥିବାରୁ ଆକ୍ଟିଭ୍ ସର୍ଭିଲାନ୍ସ ଟିମ୍ ଦ୍ୱାରା ତାଙ୍କୁ ଚିହ୍ନଟ କରାଯାଇଥିଲା । ନୂଆ ଚିହ୍ନଟ ଗୋଟିଏ ଲୋକାଲ୍ କେସ୍ କୁ ବାଦ୍ ଦେଲେ ଅନ୍ୟ ୪୬ ଜଣଙ୍କ ମଧ୍ୟରୁ ୨୦ ଜଣ ତାମିଲନାଡ଼ୁ ଫେରନ୍ତା, ତିନି ଜଣ ତେଲେଙ୍ଗାନା ଫେରନ୍ତା, ୧୨ ଜଣ ଆନ୍ଧ୍ରପ୍ରଦେଶ ଏବଂ ୧୧ ଜଣ କର୍ଣ୍ଣାଟକରୁ ଫେରିଥିବା ଜଣାପଡିଛି । ଏମାନେ ନାକା ପଏଂଟ ଦେଇ ଜିଲ୍ଲାକୁ ଫେରିଥିଲେ । ସେମାନଙ୍କୁ ବିଭିନ୍ନ କ୍ୱାରେଂଟାଇନ ସେଂଟରରେ ରଖାଯାଇଥିଲା । ଏମାନଙ୍କ ମଧ୍ୟରୁ ୪୬ ଜଣ ଗୋଷାଣୀ ବ୍ଲକର ଏବଂ ଜଣେ ଗୁମ୍ମା ବ୍ଲକ୍ ର ରହିଛନ୍ତି ।
ଇତିମଧ୍ୟରେ ୮୧ ଜଣ ସୁସ୍ଥ ହୋଇ ଗତକାଲି ସୁଦ୍ଧା କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଜିଲ୍ଲାରେ ସକ୍ରିୟ ମାମଲା ସଂଖ୍ୟା ୧୫୭ ରହିଛି ।
୧୫୮ ଜଣଙ୍କ ଠାରୁ ଆଦାୟ ହେଲା ଜୋରିମାନା
ଭୁବନେଶ୍ୱର। କଟକରେ ଗତ ୨୪ ଘଂଟା ମଧ୍ୟରେ ୧୫୮ ଜଣଙ୍କ ଠାରୁ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପିଙ୍କ ଦ୍ୱାରା ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।